ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ଫୋକସ ପ୍ଲସ (ବ୍ୟୁରୋ) ୦୫/୦୭/୨୦୨୨: ଆମ ରାଜ୍ୟ ବିଧାନସଭାରେ କେତେକ ଜରୁରୀ ପ୍ରସଂଗ ଉପରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଶାସକଦଳ ପକ୍ଷରୁ କାଳେ ଏଡାଇଯାଉଥିବା ଏବେ ଚର୍ଚ୍ଚା ଚାଲିଛି। କାରଣ ବିଭିନ୍ନ ଗଣ ମାଧ୍ୟମ ଜରିଆରେ ଏହି ଚର୍ଚ୍ଚା ବିଧାନ ସଭା ବାହାରକୁ ଆସି ପ୍ରସାରିତ ହେବାପରେ ବୁଦ୍ଧିଜୀବୀ ଓ ଜାଗରୁକ ନାଗରିକଙ୍କ ପାଇଁ ଏକ ପ୍ରକାର ଅସ୍ବସ୍ତିବୋଧତାର ଅନୁଭବ ଆଣିବାରେ ଲାଗିଛି। ଗଣତନ୍ତ୍ରର ଅନ୍ୟତମ ମନ୍ଦିରରେ ଗଣ ପ୍ରତିନିଧି ମାନଙ୍କର ଦଳମତ ନିର୍ବିଶେଷରେ ସଂପୃକ୍ତ ରାଜ୍ୟର କଲ୍ୟାଣ ପ୍ରସଂଗ ଉପରେ ପାରସ୍ପରିକ ମତ ବିନିମୟ ବେଳେ ସଂପୂର୍ଣ୍ଣ ସହଯୋଗିତା ଓ ସହଭାଗିତା ନିତାନ୍ତ ଜରୁରୀ। ସଂଖ୍ୟାଗରିଷ୍ଠ ସଭ୍ୟଙ୍କର ହଲ୍ଲାବୋଲ ଓ ବେଖାତିରପଣ ପ୍ରଭାବରେ ସଂଖ୍ୟା ଲଘୁ ସଭ୍ୟଙ୍କ ସ୍ବର ଚାପିଦେବା ରାଜ୍ୟ କଲ୍ୟାଣକାରୀ ନୁହେଁ। ଶାସକ ଦଳ ବିରୋଧୀ ଦଳଙ୍କ ପକ୍ଷରୁ ଉତଥାପିତ ବାସ୍ତବ ପ୍ରଶ୍ନକୁ ଖୁବ ସଂଯମତାର ସହ ଗ୍ରହଣ କରିବାରେ କାର୍ପଣ୍ୟ କାହିଁକି? ଯଦି ଗୋଟିଏ ଜନହିତୈଷୀ ପ୍ରସ୍ତାବ ଅବା ବିରୋଧାଭାଷ ସତ୍ୟ ହୋଇଥିଲେ, ତାହା ରାଜ୍ୟ ହିତାକାଂକ୍ଷୀ ବୋଲି ବିଚାରି ଗୃହରେ ଆଲୋଚନା ପାଇଁ ନିର୍ବିରୋଧ ଗ୍ରହଣକରି ଆଲୋଚନାକୁ ନିହାତି ଗଠନମୂଳକ କରିବା ବିଧେୟ। ଦଳମତ ନିର୍ବଶେଷରେ ବିଧାନ ସଭାର ପ୍ରତିଟି ସଭ୍ୟ ପାରସ୍ପରିକ ସୌହାର୍ଦ୍ଦ୍ୟମୂଳକ ପରିବେଶରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରସଂଗକୁ ପାରସ୍ପରିକ ଆଲୋଚନା ମାଧ୍ୟମରେ ଆଗକୁ ଆଗେଇ ନେଇ ଏହା ଉପରେ ଅବିଳମ୍ବେ ଏକ ନିଷ୍କର୍ଷ ବାହାର କରିବା ପରମ କର୍ତ୍ତବ୍ୟ ବୋଲି ବିଚାର କରିବା ଉଚିତ୍। ଗୃହ ଚାଲିଥିବା ସମୟରେ ମାନ୍ୟବର ବିଧାୟକଙ୍କ ଦ୍ବାରା ଦଳୀୟ ମାନସିକତାରେ ବିଭେଦତା ଆଣି ଅଶୋଭନୀୟ ଆରୋପ ଓ ପ୍ରତ୍ୟାରୋପ ଚଳାଇ ଗୃହରେ ଚାଲିଥିବା ଅଧିବେସନର ଧାର୍ଯ୍ୟ ଦିବସକୁ ନିଷ୍ଫଳ କରିବା ଓ କରାଇବାରେ କୌଣସି ଯଶ ଓ ସମୃଦ୍ଧି ନଥାଏ।
ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୨ ତାରିଖ ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେସନର ଧାର୍ଯ୍ୟ ୨୪ ଟି କାର୍ଯ୍ୟ ଦିବସର ପ୍ରଥମ ଭାଗରୁ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ଆଗତ ବିଭିନ୍ନ ପ୍ରସଂଗ ଯଥା ବିଜୁଳି ଦରର ଅହେତୁକ ବୃଦ୍ଧି, ଶିକ୍ଷାନୁଷ୍ଠାନ ମାନଙ୍କରେ ର୍ୟାଗିଂ ଓ ବିଜେବି କଲେଜରେ ରାଗିଂକୁ ନେଇ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ,ଓଡିଶାରେ ଚାଷୀ ଅବହେଳା ପ୍ରସଂଗକୁ ନେଇ ବିରୋଧୀ ପକ୍ଷ ବିଧାନ ସଭାରେ ତୁମୁଳ ହୋହଲ୍ଲା କରିବା ବେଳେ ଶାସକ ଦଳ ବିଧାନସଭାରେ ଏହାର ଆଲୋଚନାକୁ ସମୟୋଚିତ ଗଠନମୂଳକ କରିବାରେ ସୋହାର୍ଦ୍ଦ୍ୟ ପରିବେଶ ଆଣିପାରୁନାହାଁନ୍ତି। ଏଭଳି ସମୟରେ ରାଜ୍ୟସରକାରଙ୍କ ପକ୍ଷରୁ ମାନ୍ୟବର ଅର୍ଥମନ୍ତ୍ରୀ ଶରତ ପୂଜାରୀ ୨୦୨୨- ୨୩ ବର୍ଷ ପାଇଁ ୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ଉପସ୍ଥାପିତ ବିଭିନ୍ନ ଯୋଜନାର ରୁପାୟନ ପାଇଁ ଆବଶ୍ୟକ ଅର୍ଥର ଭରଣା ପାଇଁ ସରକାର ପୁଣି ବିଭିନ୍ନ ସୂତ୍ରରୁ ଋଣ ଆଣିବେ। ବେପରୁଆ ଭାବେ ଗୋଟିଏ ପଟରେ ସରକାର କୋଟି କୋଟି ଅର୍ଥ ଧାର କରିଚାଲିଥିବା ବେଳେ ଅନ୍ୟପଟରେ ବିଭିନ୍ନ ଯୋଜନାକୁ ସୁହାଇବା ଭଳି ଋଣ ଛାଡ ଓ ଲକ୍ଷ ଲକ୍ଷ ଅର୍ଥ ସବସିଡି ଆକାରରେ ଅର୍ଥ ଛାଡ ଘୋଷଣା କାର୍ଯ୍ୟକାରୀ କରାଇଚାଲିଛନ୍ତି। ରାଜ୍ୟ ଏବେ ଋଣ ଭାରରେ ଭାରାକ୍ରାନ୍ତ। ଏହାର ଫଳ ସ୍ବରୂପ ପ୍ରଭାବରେ ରାଜ୍ୟର ପ୍ରତି ରାଜ୍ୟବାସୀଙ୍କ ମୁଣ୍ଡ ଉପରେ ପ୍ରତି ମୁଣ୍ଡ ପିଛା ଋଣ ବୋଝ ପ୍ରାୟ ୨୪ ହଜାର ୯ ଶହ ଟଙ୍କା ଅଦ୍ୟପି ଚାପ ରହିଅଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ମାଳ ମାଳ ମାଗଣା ଯୋଜନା ପ୍ରଣୟନ ଚାଲିଛି। ଏହାର ସୁଫଳ ଅନେକ ଯୋଗ୍ୟ ହିତାଧିକାରୀଙ୍କ ଭାଗ୍ୟରେ ଜୁଟୁ ନଥିବା ବେଳେ ଧୃତ ଅଯୋଗ୍ୟ ହିତାଧିକାରୀ ଏହି ମାହାଳିଆ ଯୋଜନାକୁ ନାନା ଫନ୍ଦି ଫିକର କରି ଲୁଟି ଚାଲିଛନ୍ତି। ରାଜନୈତିକ ସ୍ତରରେ ମୁହଁ ଦେଖା କାରବାର ପାଇଁ ଏମାନଙ୍କ ଚିହ୍ନଟ ମଧ୍ୟ ହୋଇପାରୁନାହିଁ। ଏହାକୁ କେବେ ସ୍ଥିର ମସ୍ତିଷ୍କରେ ସବୁ ଦଳମତ ନିର୍ବିଶେଷରେ ବିଧାନସଭାରେ ପାରସ୍ପରିକ ବୁଝାମଣା ଭିତ୍ତିରେ ଆଲୋଚନା ହୋଇଛିକି? ବିଧାନସଭାର ଅଧିବେସନ ଚାଲିଥିବାବେଳେ ଗୃହରେ ମାନ୍ୟବର ବିଧାୟକମାନେ ପାରସ୍ପରିକ ରାଜନୈତିକ ଅସୂୟା ଭାବ ରଖି ଅଯଥାକଥାରେ ଆରୋପ ପ୍ରତ୍ୟାରୋପରେ ମାତି ଧାର୍ଯ୍ୟ କାର୍ଯ୍ୟ ଦିବସକୁ ନିସ୍ଫଳ କରିବାରେ କଣ ଓଡିଶାର ପ୍ରଗତି ଆଣିବା ସମ୍ଭବକି?
ସେହିପରି ଗତ ଅଧିବେସନରେ ଶାସକ ଦଳର ଜନୈକ ମାନ୍ୟବର ବିଧାୟକଙ୍କ ପକ୍ଷରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର କ୍ଷେତ୍ରରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଓ ଏହା ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା କିପ୍ରକାର ଆବଶ୍ୟକ ପଦକ୍ଷେପ ପ୍ରସଂଗ ଉପରେ ତଥ୍ୟ ରଖିବାକୁ ନିବେଦନ ସହ ବିଧାନସଭାରେ ପ୍ରଶ୍ନ କରିଥିଲେ । ବାସ୍ତବରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କେବେ ଓ କିପ୍ରକାର ପାଳନ ହେବ ବୋଲି ତଥ୍ୟ ନିଶ୍ଚୟ ରାଜ୍ୟ ଆଇନ ବିଭାଗ ପାଖରେ ରହିଥିବା ସ୍ବଭାବିକ୍।ହେଲେ ଏହା ଉପରେ ଉତ୍ତର ରଖିଥିବା ମାନ୍ୟବର ମନ୍ତ୍ରୀ ଏହି ପ୍ରସଂଗରେ ତଥ୍ୟ ସଂଗ୍ରହ କରାଯାଉଥିବା ଉତ୍ତର ରଖିଥିଲେ। ସେହିପରି ଅନଲାଇନ ଶିଶୁ ଯୌନ ନିର୍ଯ୍ୟାତନା ଉପରେ ବିରୋଧୀଦଳର ମାନ୍ୟବର ମୁଖ୍ୟ ସଚେତକ ପଚାରିଥିବା ପ୍ରଶ୍ନର ଉତ୍ତରରେ ତଥ୍ୟ ସଂଗ୍ରହ କରାଯାଉଥିବା ମଧ୍ୟ ଶାସକଦଳ ପକ୍ଷରୁ ଉତ୍ତର ରଖାଯାଇଥିବା ଅଭାଯୋଗ ଉଠୁଛି। ତଥ୍ୟ ସଂଗ୍ରହ ଆଳରେ ଅନେକ ତଥ୍ୟର ଉତ୍ତର ଶାସକ ଦଳ ପକ୍ଷରୁ କାଳେ ଲୁଚାଯାଉଥିବା ବିରୋଧୀଦଳଙ୍କ ପକ୍ଷରୁ ଅଭିଯୋଗ ଉଠୁଛି। ତେବେ ଏଠାରେ ଗୁରୁତ୍ତ୍ବପୂର୍ଣ୍ଣ କଥା ଏହିକିଯେ ବିଧାନସଭାରେ ପଚରାଯାଉଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ମାନ୍ୟବର ସଦସ୍ୟଙ୍କୁ ମିଳିବା ବିଧେୟ।ଏକ୍ଷେତ୍ରରେ ଉପୁଜିଥିବା ସମସ୍ୟା ସଂପର୍କରେ ଉତ୍ତରପାଉନଥିବା ମାନ୍ୟବର ପ୍ରଶ୍ନକର୍ତ୍ତା ସଦସ୍ୟ ବିଧାନସଭା ଆସ୍ୟୁରାନ୍ସ କମିଟିର ଦୃଷ୍ଟିକୁ ଅଣାଯାଇପାରିବ ବୋଲି ସେତେବେଳେ ଆମ ରାଜ୍ୟ ବିଧାନସଭାର ତତ୍କାଳୀନ ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂତ୍ରରୁ ହୋଇଥିଲା ପ୍ରକାଶ। ଏହି କମିଟି ଉଭୟ ଶାସକ ଦଳ ଓ ବିରୋଧୀଦଳର ମାନ୍ୟବର ସଦସ୍ୟଙ୍କୁ ସମନ କରି ଗୃହରେ ଉତ୍ତର ଏଡାଇଯାଇଥିବା ବିଭାଗୀୟ ମନ୍ତ୍ରୀ ଓ ମାନ୍ୟବର ସଦସ୍ୟ ପ୍ରଶ୍ନକର୍ତ୍ତାଙ୍କ ପାଇଁ ନ୍ୟାୟସଂଗତ ପଦକ୍ଷେପ ନେଇପାରିବେ। ବିଧାନ ସଭା ପରି ଲୋକସଭା, ରାଜ୍ୟ ସଭାରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି। ରାଜ୍ୟ ହେଉ ଅବା ଦେଶ, ପ୍ରତିଟି ଗଣତନ୍ତ୍ରର ମନ୍ଦିର ସ୍ବରୂପୀ ଜନପ୍ରତିନିଧି ପ୍ରତିନିଧିତ୍ବ କରୁଥିବା ଗୃହର ଆବଶ୍ୟକ ଗରିମା ବୃଦ୍ଧି ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଆବଶ୍ୟକ ବିଧିବ୍ୟବସ୍ଥା ରହିଛି।ହେଲେ ଦୁଃଖ ଲାଗୁଛି, ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଗଣଙ୍କ ମଧ୍ୟରୁ ଅନେକ ନିଜର କର୍ତ୍ତବ୍ୟକର୍ମ ଓ ସମ୍ମାନ ଭୂଲି ରାଜନୈତିକ ଆକ୍ରୋଶ ରଖି ଅନେକ ସମୟରେ ଗୃହର ବାତାବରଣକୁ କଳୁଷିତକରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଛନ୍ତି। ଏହା ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ପ୍ରତ୍ୟେକ ଗୃହରେ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିରୋଧାଭାଷ ରହିବା ସ୍ବଭାବିକ। ହେଲେ ରାଜ୍ୟର ତଥା ଦେଶର ହିତ ପାଇଁ ସମସ୍ତେ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ଆବଶ୍ୟକ ପଡିଲେ ସମସ୍ତେ ଏକଜୁଟ ହେବା ନିହାତି ଜରୁରୀ।
ସଂପ୍ରତ୍ତି ଆମ ରାଜ୍ୟ ବିଧାନ ସଭାରେ ଚଳିତ ଶୀତ ଅଧିବେଶନ ପ୍ରାରମ୍ଭରୁ ବିରୋଧୀଙ୍କ ପକ୍ଷରୁ ମମିତା ମୃତ୍ୟୁ ପ୍ରସଂଗ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ନେଇ ସରକାର ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିବା ପ୍ରକାଶ। ଫଳରେ ଚଳିତ ଅଧିବେଶନ ପ୍ରାରମ୍ଭରୁୁ ଗୃହର ସ୍ବଭାବିକ କାର୍ଯ୍ୟ ସଂପାଦନରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଶାସକଦଳ ଓ ବିରୋଧୀଙ୍କର ପରସ୍ପର ବିରୋଧରେ ବିରୋଧାଭାଷ ପରିସ୍ଥିତିକୁ ଜଟିଳ କରି ରଖିଛି। ମମିତା ପ୍ରସଂଗ ଏବେ ମାନ୍ୟବର କୋର୍ଟଙ୍କ ବିଚାରଧୀନ ତଥା ଏଦିଗରେ ଆଇନଗତ ଅନୁସଂଧାନ ଚାଲିଥିବା ପ୍ରକାଶ। ନିକଟରେ ବାତ୍ୟା ” ଜଓ୍ବାଦ” କାରଣରୁ ରାଜ୍ୟରେ ଉଜୁଡିଯାଇଥିବା ଚାଷ ଓ ଚାଷୀ ପ୍ରସଂଗ ଅତି ସମ୍ବେଦନଶୀଳ ପ୍ରସଂଗ ।ଏହା ଉପରେ ଆବଶ୍ୟକ ଚାଷୀ କଲ୍ୟାଣ ଯୋଜନାର ଏକ ଗଠନମୂଳକ କାର୍ଯ୍ୟାନ୍ବୟନର ଆବଶ୍ୟକତା ରହିଛି। ଏଥି ସହ ମହିଳା ଓ ଶିଶୁ ସୁରକ୍ଷା ସମସ୍ୟା ସମେତ ଗତ ୨ ବର୍ଷ ଧରି ଚାଲିଥିବା ମହାମାରୀ କରୋନା ଜଟିଳତାରୁ ରାଜ୍ୟର ସବୁ ସ୍ତରରେ ସର୍ବସାଧାରଣଙ୍କ ଜୀବନଜୀବିକା ଓ ଆର୍ଥିକ ପ୍ରଗତି ମାନ୍ଦାବସ୍ଥାରେ ଚାଲିଛି। ରାଜ୍ୟର ସୀମାନ୍ତ ଅଂଚଳରେ ପଡୋଶୀ ରାଜ୍ୟଙ୍କ ପକ୍ଷରୁ ଚାଲିଥିବା ଅନୁପ୍ରବେଶ ଜନୀତ ଅସ୍ଥିରତା ଲାଗି ରହିଛି।ଉଚ୍ଚ ସ୍ତରୀୟ କମିଶନ ତଦନ୍ତ ସତ୍ତ୍ବେ ଚିଟ ଫଣ୍ଡ ଦୁର୍ନିତିର ଏଯାଏଁ ପର୍ଦ୍ଦାଫାସ ହୋଇନପାରିବାରୁ ରାଜ୍ୟବାସୀଙ୍କ ଡିପୋଜିଟ ଅର୍ଥର ଭବିଷ୍ୟତ ଅନ୍ଧକାର ବୋଲି ଅଭିଯୋଗ ଉଠୁଛି। ରାଜ୍ୟରେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରସଂଗକୁ ନେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାମାନ ଗୋଟିଏ ପରେ ଗୋଟିଏ ଆରମ୍ଭ ହୋଇଚାଲିଛି। ଏହାର ଫଳପ୍ରସୂ ରୁପାୟନ ଦିଗରେ ଉଭୟ ପ୍ରଶାସନ, ରାଜନୈତିକ ସ୍ତରରେ ନିରପେକ୍ଷ ସମନ୍ବୟ ରହୁନଥିବାରୁ ସମସ୍ୟାର ସମାଧାନ ସମ୍ଭବ ହେଉନଥିବା ଶାସକଦଳ ବିରୋଧରେ ଅଭିଯୋଗ ଉଠୁଛି। ରାଜ୍ୟର ଶିକ୍ଷା ସ୍ବାସ୍ଥ୍ୟ, ଜଳପରିମଳ, ଗମନାଗମନ, ବିଭିନ୍ନ ବୈଷୟିକ,ଆର୍ଥିକ,ସାମାଜିକ, ସାଂସ୍କୃତିକ ଭିତ୍ତିଭୂମିର ଉନ୍ନତି ସହ ସମାଜର ସବୁ ସ୍ତରର ଆର୍ଥିକ ପ୍ରଗତି ପାଇଁ ସବୁ ସ୍ତରରେ ଆବଶ୍ୟକ ଯୋଜନା ପ୍ରସ୍ତୁତି ଓ ଏହାର ସଫଳ କାର୍ଯ୍ୟାନ୍ବୟନର ଆବଶ୍ୟକତା ପୂରଣ ଦିଗରେ ଉଭୟ ସରକାର ଓ ବିରୋଧୀ ପାରସ୍ପରିକ ବୁଝାମଣା ଓ ଆନ୍ତରିକତାର ଏବେବି ସାଧାରଣରେ ଅଭାବ ଅନୁଭୂତ ହେଉଅଛି।
ଅନେକ ଆଶା ଆକାଂକ୍ଷା ରଖି ରାଜ୍ୟବାସୀ ନିଜ ନିଜ ଅଂଚଳର ଜନପ୍ରତିନିଧିମାନଙ୍କୁ ନିର୍ବାଚିତ କରାଇ ପବିତ୍ର ଗଣତନ୍ତ୍ରର ମନ୍ଦିର ଆମ ରାଜ୍ୟ ବିଧାନସଭାକୁ ପଠାଇଛନ୍ତି। ପ୍ରତ୍ୟହ ହୋହଲ୍ଲା ନାରାବାଜି, ଅବୁଝାମଣା,ଅଭଦ୍ରାମୀ କରି ଯଦି ଆମ ବିଧାୟକ ପ୍ରତିନିଧିମାନେ ମୁଲ୍ୟବାନ ସମୟ ନଷ୍ଟ କରି ନିଜ ନିଜର ରାଜନୈତିକ ଆକ୍ରୋଶକୁ କେବଳ ପରିପ୍ରକାଶ କରିଚାଲିବେ ,ତେବେ ରାଜ୍ୟର ପ୍ରଗତି ସମ୍ଭବ ନୁହେଁ।
ଶେଷରେ ଏତିକି କୁହାଯାଇପାରେ, ବିଧାନସଭା, ବିଧାନ ପରିଷଦ, ଲୋକ ସଭା, ରାଜ୍ୟ ସଭା, ଯାହାବି ହେଉ ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରରେ ଉଭୟ ଶାସକ ଓ ବିରୋଧୀ ଦେଶ ଭକ୍ତ ହେବା ଜରୁରୀ। ଏଥିରେ ଶାସକଦଳ ଓ ବିରୋଧୀ ନିଜ ନାଜ ଗୃହରେ ତଥ୍ୟାନୁସଂଧାନ ସହ ପ୍ରଶ୍ନକର୍ତ୍ତା ସଦସ୍ୟଙ୍କ ପ୍ରତ୍ୟେକ ପ୍ରଶ୍ନର ଆବଶ୍ୟକ ଉତ୍ତର ରଖିବା ଜରୁରୀ।ଏଥିପାଇଁ ଶାସକ ଦଳ ଗୃହ ଚାଲିଲାବେଳେ ଆଗତ ଆବଶ୍ୟକ ସବୁ ପ୍ରଶ୍ନକୁ ସବିନୟେ ସମ୍ମୁଖୀନ ହୋଇ ଉତ୍ତର ଓ ତଥ୍ୟ ରଖିବାକୁ ନିଜକୁ ପ୍ରସ୍ତୁତ ରଖିବା ଜରୁରୀ। ପ୍ରତିନିଧିତ୍ତ୍ବ କରୁଥିବା ସମସ୍ତ ଜନପ୍ରତିନିଧି ନିଜ ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ସଂଗଠିତ ହେବା ନିହାତି ଜରୁରୀ। ଏଣୁ ପ୍ରତିଟି ଗୃହରେ ଆଗତ ପ୍ରତିଟି ପ୍ରଶ୍ନର ଉତ୍ତରକୁ ବିଶେଷ ଭାବେ ଶାସକ ଦଳ ଏଡାଇଗଲେ ହୁଏତ ଏହା ଗଣତନ୍ତ୍ର ବିରୋଧୀ ବୋଲି କୁହାଯାଇପାରେ। କାରଣ ପ୍ରତ୍ୟେକ ସଫଳ ସରକାରଙ୍କର ଗୃହରେ ଆବଶ୍ୟକ ତଥ୍ୟ ଉପସ୍ଥାପନା ସହ ବିରୋଧୀଙ୍କ ଆଗତ ସବୁ ପ୍ରଶ୍ନର ସଠିକ ଉତ୍ତର ରଖିବା ଗୃହର ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହୋଇଥାଏ। ଫଳରେ ଆମ ବିଧାନ ସଭାର ଗରିମା ବୃଦ୍ଧି ହେବା ସୁନିଶ୍ଚିତ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *