ମିସାଇଲ୍ ମ୍ୟାନ୍ ଅବଦୁଲ କଲାମ

ମିସାଇଲ୍ ମ୍ୟାନ୍ ଅବଦୁଲ କଲାମ

ଫୋକସ ପ୍ଲସ (ବ୍ୟୁରୋ)୨୬/୦୭/୨୦୨୨: ଈଶ୍ୱରଙ୍କ ସୃଷ୍ଟିରେ ସମାଜର ସର୍ବଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ ।ନିଜର ବୁଦ୍ଧି, ବିବେକ, ବିଚାରଧାରା,କର୍ମ,ସାଧନା ପାଇଁ ଚିରକାଳ ଧରା ପୃଷ୍ଠରେ ଅମର ହୋଇ ରହେ ।କର୍ମ ଓ ସାଧନା ବଳରେ ମଣିଷ ଯୁଗଯୁଗ ଧରି ଚିରପୂଜ୍ୟ ହୋଇ ରହିଥାନ୍ତି ।ଭାରତବର୍ଷରେ ଏଭଳି ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି ଯାହାଙ୍କ ତ୍ୟାଗ, କର୍ତ୍ତବ୍ୟପରାୟଣତା ତଥା ନିଃସ୍ୱାର୍ଥପର ବଳିଦାନ ପାଇଁ ସେମାନଙ୍କ ଆଗରେ ଶ୍ରଦ୍ଧା ଓ ଭକ୍ତିରେ ମୁଣ୍ଡ ଆପେଆପେ ନଇଁ ଯାଏ ।ଏହି ପବିତ୍ର ବେଦଭୂମି ଭାରତ ଭୂଖଣ୍ଡରେ ଜନ୍ମ ନେଇଥିଲେ ଭାରତର ମାତାର ସୁଯୋଗ୍ୟ ସନ୍ତାନ ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ୍ ମ୍ୟାନ୍ ଭାବେ ପରିଚିତ ଡକ୍ଟର ଏ. ପି. ଜେ. ଅବଦୁଲ କଲାମ । ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ୱରମରେ ଏକ ତାମିଲ ମୁସଲମାନ ପରିବାରରେ ପିତା ଜୈନୁଲାବଦ୍ଦୀନ ଏବଂ ମାତା ଅସିଆମ୍ମାଙ୍କ କୋଳ ମଣ୍ଡନ କରିଥିଲେ ମିସାଇଲ ମ୍ୟାନ୍ ଅବଦୁଲ କଲାମ।

ଭାରତର କେତେଜଣ ମହାମନିଷୀ ରହିଛନ୍ତି ଯେଉଁ ମାନଙ୍କ ନାମ ଉଚ୍ଚାରଣ ମାତ୍ରକେ ଉକ୍ତି,ସମ୍ମାନ ଓ ଶ୍ରଦ୍ଧାରେ ମଥା ଆପେଆପେ ନଇଁ ଯାଏ । ସେମାନଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏ. ପି. ଜେ. ଅବଦୁଲ କଲାମ ଅନ୍ୟତମ । ‘ମିସାଇଲ ମ୍ୟାନ୍‌’ ନାମରେ ସେ ଖ୍ୟାତି ପାଇଥିଲେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଏବଂ ସରଳତା ତଥା ଶାନ୍ତ ଭଦ୍ର ବ୍ୟବହାର ସମସ୍ତଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରୁଥିଲା । ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଡକ୍ଟର ଏ.ପି.ଜେ ଅବଦୁଲ କଲାମ ପୂରା ଦେଶର ଲୋକଙ୍କ ପାଇଁ ଆଦର୍ଶ। ଏକ ଗରିବ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମଙ୍କୁ ନେଇ ପୂରା ଦେଶ ଗର୍ବିତ ହେବ ତାହା କେହି କଳ୍ପନା କରିନଥିଲେ । ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ । କେହି ସୁଦ୍ଧା ଭାବିନଥିଲେ ଦିନେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ଭାବେ ଉଭା ହେବେ କଲାମ । ସବୁବେଳେ କିଛି ନୂଆ ଶିଖିବାର ଇଚ୍ଛା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରୁଥିଲା । କଲାମ ମିସାଇଲ୍ ମ୍ୟାନ୍ ଭାବେ ପୂରା ଦେଶରେ ଜଣାଶୁଣା ଥିଲେ ।

ସାଧାରଣ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମ ପିଲାଦିନରୁ ପରିବାର ଭରଣପୋଷଣରେ ସାହାଯ୍ୟ କରୁଥିଲେ ।ତାଙ୍କ ବାପା ଜଣେ ନାଉରୀ ଥିଲେ । ଅବଦୁଲ କଲାମ ପରିବାରକୁ ସାହାଯ୍ୟ କରିବା ପାଇଁ ସ୍କୁଲ୍ ଯିବା ବୟସରେ ବି କାମ କରୁଥିଲେ । ସେ ଘର ଘର ଯାଇ ଖବରକାଗଜ ଦେଉଥିଲେ । ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। ଏଠାର ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୫୫ରେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ ମାଡ୍ରାସ ଯାଇଥିଲେ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।ଭାରତୀୟ ମହାକାଶ ବିଜ୍ଞାନକୁ ତାଙ୍କ ଦାନ ଅତୁଳନୀୟ। ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇଥିବା ବ୍ୟକ୍ତି ହେଉଛନ୍ତି କଲାମ। ଏପରିକି ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର କରିବାରେ କଲାମଙ୍କ ପ୍ରମୁଖ ଭୂମିକା ରହିଥିଲା।କଲାମ ହିଁ ଅଗ୍ନି ଓ ପୃଥ୍ବୀ ଭଳି ମିଶାଇଲ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କଲାମଙ୍କ ଉଦ୍ୟମ ଏବଂ ପ୍ରୟାସ ପାଇଁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇ ପାରିଥିଲା। କଲାମ ଡିଆରଡିଓ ଏବଂ ଇସ୍ରୋ ଭଳି ପ୍ରତିଷ୍ଠିତ ସଂସ୍ଥାରେ ଦୀର୍ଘଦିନ ଧରି କାମ କରିଥିଲେ। ୧୯୮୦ରେ ସେ ରୋହିଣୀ ଉପଗ୍ରହକୁ ପୃଥିବୀ କକ୍ଷପଥର ଅତି ନିକଟରେ ସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ । ପରେ ତାଙ୍କୁ ୧୯୮୨ରେ ଡିଆରଡିଓର ନିର୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା । ପ୍ରଚଣ୍ଡ ପ୍ରତିଭା ଯୋଗୁ ସମ୍ପୂର୍ଣ୍ଣ ସ୍ବଦେଶୀ କୌଶଳରେ ଅଗ୍ନି ଏବଂ ତ୍ରିଶୁଳ ଭଳି କ୍ଷେପଣାସ୍ତ୍ର ନିର୍ମାଣ କରିପାରିଥିଲେ ଅବଦୁଲ କଲାମ। ତାଙ୍କର ତତ୍ତ୍ୱାବଧାନରେ ୧୯୯୮ରେ ପୋଖରାନରେ ଭାରତ ତା’ର ଦ୍ୱିତୀୟ ପରମାଣୁ ଶକ୍ତି ପରୀକ୍ଷା କରିପାରିଥିଲା। ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ଭୂଷିତ କରାଯାଇଥିଲା।

ବାଲିଷ୍ଟିକ ମିସାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନ୍ ର ଆଖ୍ୟା ଦିଆଯାଇଥିଲା ।କଲାମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ଧାମରାରେ ଥିବା ହ୍ୱିଲର ଦ୍ୱୀପକୁ ବିଧିବଦ୍ଧ ଭାବେ ଅବଦୁଲ କାଲାମ ଦ୍ୱୀପ ଘୋଷଣା କରାଯାଇଥିଲା। ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ।ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ କଲାମଙ୍କୁ ୧୯୯୭ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା।୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ତମ ରାଷ୍ଟ୍ରପତି ଥିଲେ।ଲୋକଙ୍କ ରାଷ୍ଟ୍ରପତି ଭାବେ ତାଙ୍କର ଏକ ଭିନ୍ନ ପରିଚୟ ରହିଥିଲା।ଦାରିଦ୍ରତାରେ ଜୀବନ ବିତାଇଥିବା କଲାମଙ୍କ ଶିଖିବାର ମନବୃତ୍ତି ଓ ନିଷ୍ଠା ପାଇଁ ରାମେଶ୍ବରମରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ ।କଲାମ ସବୁବେଳେ କହୁଥିଲେ: ସ୍ୱପ୍ନ ଏପରି ଦେଖନି ଯାହା ଶୋଇ କରି ଦେଖାଯାଏ ବରଂ ଏପରି ସ୍ୱପ୍ନ ଦେଖ ଯାହାପାଇଁ ନିଦ ହଜିଯିବ । ସ୍ୱପ୍ନ କେତେ ଯେ ଶକ୍ତିଶାଳୀ ତାହା କଲାମଙ୍କ ଜୀବନୀରୁ ସ୍ପଷ୍ଟ ହୁଏ ।

୨୦୧୫ ମସିହା ଜୁଲାଇ ୨୭ ତାରିଖ ଆଜିର ଦିନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଦେଶର ମିସାଇଲ୍ ମ୍ୟାନ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ. ପି. ଜେ. ଅବଦୁଲ କଲାମ । ମେଘାଳୟର ସିଲଂରେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଉଥିବା ସମୟରେ ହୃଦଘାତରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅବଦୁଲ କଲାମ। ୮୩ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଥିଲେ। ଆଉ ମିସାଇଲ୍ ମ୍ୟାନ୍ ଙ୍କ ଦେହାନ୍ତରେ ସ୍ତବ୍ଧ ହୋଇଯାଇଥିଲା ପୁରା ଦେଶ । ଆଜି ସେହି ମହାନ ଆତ୍ମାଙ୍କ ଶ୍ରାଦ୍ଧବାର୍ଷିକୀ । କିନ୍ତୁ ଏବେ ବି ପ୍ରତ୍ୟେକ ଭାରତୀୟଙ୍କ ମନରେ‘ମିସାଇଲ ମ୍ୟାନ୍‌’ ଭାବରେ ବଞ୍ଚି ରହିଛନ୍ତି ମହାମାନବ କଲାମ।ଆଜିର ଏହି ଶ୍ରାଦ୍ଧବାର୍ଷିକୀରେ ମିସାଇଲ୍ ମ୍ୟାନ୍ ଅବଦୁଲ କଲାମଙ୍କୁ ଝୁରୁଛି ସାରା ଭାରତ ।ତାଙ୍କର ଜୀବନକାଳ ଭିତରେ ସେ ଯେଉଁ କର୍ମ କରିଯାଇଛନ୍ତି, ତାହା ତାଙ୍କୁ ଚିର ଦିନ ପାଇଁ ଅମର କରି ରଖିବ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *