ନବଙ୍କ ରାଜନୀତି କଂଗ୍ରେସରୁ ଆରମ୍ଭ ବିଜେଡିରେ ପୂର୍ଣ୍ଣଛେଦ |
- ସ୍ପେସିଆଲ ଷ୍ଟୋରି
- January 30, 2023
- No Comment
- 111
ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ): ସ୍ୱସ୍ଥ୍ୟ ମନ୍ତ୍ରୀ ନବ ଦାସ l ସମ୍ବଲପୁର ସହରରେ ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା ନବ କିଶୋର ଦାସଙ୍କ ଜୀବନ। ସମ୍ବଲପୁର ସହରର ମୁଦିପଡ଼ାରେ ୭ ଜାନୁଆରି ୧୯୬୨ରେ ନବକିଶୋର ଦାସଙ୍କ ଜନ୍ମ। ସେ ମୁଦିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା, ସମ୍ବଲପୁର ଜିଲ୍ଲା ସ୍କୁଲ୍ରୁ ହାଇସ୍କୁଲ୍ ଶିକ୍ଷା ଗ୍ରହଣ କରିଥିବାବେଳେ ୧୯୭୮ ମସିହାରେ ଭୋଜପୁର ଆଶ୍ରମ ହାଇସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିଥିଲେ। ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଅଧିକ ଶିକ୍ଷା ଲାଭ କରିଥିଲେ। ନବ ୧୯୮୯ରେ ଇଂରାଜୀରେ ଏମ୍ଏ ଓ ୧୯୯୪ରେ ଆଇନ୍ରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ମୁଦିପଡ଼ା ନିବାସୀ ନୃସିଂହ ଦାସ ଓ ବିଷ୍ଣୁପ୍ରିୟା ଦାସଙ୍କ ଦ୍ବିତୀୟ ପୁତ୍ର ଥିଲେ ନବକିଶୋର। ତାଙ୍କର ବଡ଼ ଓ ଏକମାତ୍ର ଭଉଣୀ ଜ୍ୟୋତି ସମ୍ବଲପୁର ମୁନ୍ସିପାଲ୍ଟିର ପୂର୍ବତନ ସଭାପତି ଆନନ୍ଦ ଜେନାଙ୍କ ପତ୍ନୀ। ତାଙ୍କର ବଡ଼ଭାଇ ରାଜକିଶୋର ଦାସ, ଦୁଇ ସାନ ଭାଇ ବ୍ରଜକିଶୋର ଦାସ ଓ ଯୁଗଳ କିଶୋର ଦାସ ସମ୍ବଲପୁରର ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ନବ ମିନତି ଦାସଙ୍କୁ ବିବାହ କରିଥିଲାବେେଳେ ସେମାନଙ୍କ ଗୋଟିଏ ପୁଅ ବିଶାଳ ଓ ଗୋଟିଏ ଝିଅ ଦୀପାଳି ଅଛନ୍ତି। ଝିଅ ଦୀପାଳିଙ୍କୁ ନବ ନିଜର ରାଜନୈତିକ ଉତ୍ତରାଧିକାରୀଭାବେ ପରିଚିତ କରାଉଥିଲେ। ନିଜ ପିତାମାତାଙ୍କ ନାମରେ ଦାତବ୍ୟ କାର୍ଯ୍ୟ ପାଇଁ ସେ ନୃସିଂହବିଷ୍ଣୁପ୍ରିୟା ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଠନ କରିଥିଲେ।
ନବ କଂଗ୍ରେସରେ ଯୋଗ ଦେବାପରେ ଦଳରେ ତାଙ୍କର ପତିଆରା ବୃଦ୍ଧି ପାଇଥିଲା। ସେ ଛାତ୍ର ଓ ଯୁବକଂଗ୍ରେସର ରାଜ୍ୟ ସାଧାରଣ ସଂପାଦକଭାବେ କାର୍ଯ୍ୟ କରିଥିଲେ। ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ ଏବଂ ସମ୍ବଲପୁର ଜିଲ୍ଲା କଂଗ୍ରେସ ରାଜନୀତିକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ। ଫଳରେ, ସ୍ଥାନୀୟ କଂଗ୍ରେସ ନେତାମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ।
ସମ୍ବଲପୁରରେ ଛାତ୍ରଜୀବନରୁ ଜଣେ ବାହୁବଳୀ ନେତାଭାବେ ନିଜ ଛବି ତିଆରି କରିଥିବା ନବଙ୍କୁ କିନ୍ତୁ ଭୋଟ ରାଜନୀତିରେ ସଫଳତା ପାଇଁ ଅନ୍ୟ ଠିକଣା ଖୋଜିବାକୁ ପଡ଼ିଥିଲା। ବାହୁବଳୀ ଛବି ସମ୍ବଲପୁରର ସାଧାରଣ ପ୍ରତ୍ୟକ୍ଷ ରାଜନୀତିରେ ତାଙ୍କ ପାଇଁ ବାଧକ ସାଜିଥିଲା। ଜାନକୀବାବୁ ନବଙ୍କୁ ଟିକଟ୍ ଦେବାକୁ ଚାହୁଁଥିଲେ ବି ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ତାହା ଗ୍ରହଣୀୟ ହୋଇନଥିଲା। ତେଣୁ ନବ ପ୍ରଥମେ ଦେବଗଡ଼ ଓ ପରେ ରେଢ଼ାଖୋଲ ଯାଇ ସେଠାରେ ନିଜ ପାଇଁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରିବାକୁ ପ୍ରୟାସ କରିଥିଲେ। ହେଲେ, ତାହା ବି ତାଙ୍କୁ ସୁହାଇ ନଥିଲା। ଏହାପରେ ନବ ଝାରସୁଗୁଡ଼ା ମୁହଁା ହୋଇଥିଲେ।
ଝାରସୁଗୁଡ଼ାରେ ସତେଯେମିତି ନବଙ୍କୁ ସବୁପ୍ରକାର ସଫଳତା ଅପେକ୍ଷା କରି ରହିଥିଲା। ସମ୍ବଲପୁରରୁ ଯିବାପରେ ସେ ପ୍ରଥମେ ସରବାହାଲ ଅଞ୍ଚଳରେ ଏକ ଭଡ଼ାଘର ନେଇ ରହିଥିଲେ ଓ ନିଜ ପାଇଁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ସେଠାରେ ନିଜ ସଂଗଠନ ଗଢ଼ିଥିଲେ। ୨୦୦୪ ମସିହାରେ ସେ ଝାରସୁଗୁଡ଼ାରୁ କଂଗ୍ରେସ ଟିକଟ୍ରେ ଲଢ଼ି ପରାସ୍ତ ହୋଇଥିଲେ। ହେଲେ, ୨୦୦୯ରେ ପ୍ରଥମ ବିଜୟ ସ୍ବାଦ ଚାଖିଥିଲେ ଓ ତା’ପରଠୁ କେବେ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୯ ଓ ୨୦୧୪ରେ ସେ କଂଗ୍ରେସ ଦଳରୁ ବିଜୟୀ ହୋଇଥିଲେ। ୨୦୧୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ମୂଳପୋଛ ହୋଇ ଯାଇଥିଲେ ବି ଏକମାତ୍ର ଝାରସୁଗୁଡ଼ାରେ ନବଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ ଗଠନ କରିଥିଲା। ସାରାରାଜ୍ୟରେ ଏକାକୀ କଂଗ୍ରେସର ଝଣ୍ଡାକୁ ଟେକି ଧରିଥିବା ନବ ୨୦୧୯ ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଏହାପରେ ଝାରସୁଗୁଡ଼ାରେ ନବଙ୍କ ଜନାଧାର ସଂପୂର୍ଣ୍ଣଭାବେ ବିଜେଡି ପକ୍ଷକୁ ମୋଡ଼ି ହୋଇଯାଇଥିଲା। ହେଲେ, ଝାରସୁଗୁଡ଼ା ରାଜନୀତିରେ ତାଙ୍କର ମୁଖ୍ୟ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ କିଶୋର ମହାନ୍ତିଙ୍କ ସହ ଗୋଟିଏ ଦଳରେ ରହିବା ପରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ, ପୁରୁଖା ନେତା କିଶୋରଙ୍କୁ ବ୍ରଜରାଜନଗରକୁ ନେଇ ବିଜେଡି ନବଙ୍କୁ ହିଁ ଝାରସୁଗୁଡ଼ା ଟିକେଟ୍ ଦେଇଥିଲା। ସେ ବଡ଼ ବିଜୟ ସହ ତୃତୀୟଥର ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ରେ ସ୍ବାସ୍ଥ୍ୟମନ୍ତ୍ରୀଭାବେ ସ୍ଥାନ ପାଇଥିଲେ। ନବ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶା ଏହାର ଇତିହାସର ସବୁଠୁ ସ୍ବାସ୍ଥ୍ୟ ସଂକଟର ସାମ୍ନା କରିଥିଲା। କୋଭିଡ୍ ମହାମାରୀ ଭଳି ବଡ଼ ବିପଦକୁ ତାଙ୍କ ନେତୃତ୍ବରେ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଥିଲେ l
ନବକିଶୋର ଦାସ ବସ୍ ମାଲିକଭାବେ ନିଜ ବ୍ୟବସାୟିକ ଜୀବନ ଆରମ୍ଭ କରିଥିଲେ। ସମ୍ବଲପୁରରୁ ଗୋଟିଏ, ଦୁଇଟି ବସ୍ ଚଳାଇ ପରେ ଏହାର ସଂଖ୍ୟା ବୃଦ୍ଧି କରିଥିଲେ। ହେଲେ, ଝାରସୁଗୁଡ଼ାକୁ ଯିବାପରେ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ସମୃଦ୍ଧିର ଶୀର୍ଷ ଛୁଇଁଥିଲା। ଝାରସୁଗୁଡ଼ାରେ ଶିଳ୍ପର ବିକାଶ ସହ ନବଙ୍କ ବ୍ୟବସାୟିକ ଅଭ୍ୟୁତ୍ଥାନ ହୋଇଥିଲା। ପରବର୍ତ୍ତୀ ସମୟରେ ନବ ଟ୍ରାନ୍ସପୋର୍ଟ, ରିୟଲ୍ଇଷ୍ଟେଟ୍, ହୋଟେଲ୍ ଶିଳ୍ପ ଭଳି ବ୍ୟବସାୟରେ ପାଦ ଥାପି ସଫଳ ହୋଇଥିଲେ। ସମ୍ବଲପୁର-ଝାରସୁଗୁଡ଼ା ଶିଳ୍ପାଞ୍ଚଳରେ ବହୁ କାରଖାନାର ପରିବହନ ବ୍ୟବସ୍ଥାକୁ ନବ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ନିୟନ୍ତ୍ରିତ କରୁଥିଲେ। ଏକାଧିକ କାରଖାନାରେ ତାଙ୍କ ନିଜ, ପରିବାର ଓ ସମର୍ଥକଙ୍କ ନାମରେ ଶହଶହ ଗାଡ଼ି ଚାଲୁଥିଲା। ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ରେ ସେ ସବୁଠୁ ଧନୀ ମନ୍ତ୍ରୀ ଥିଲେ। ସେ ନିଜ ଦଳ ବିଜେଡି ପାଇଁ ଅର୍ଥ ଯୋଗାଡ଼ରେ ବି ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ସେହି କାରଣରୁ ଦଳରେ ତାଙ୍କର ଗୁରୁତ୍ବ ଯଥେଷ୍ଟ ଅଧିକ ଥିଲା। ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଯେଉଁ କେତେଜଣ ହାତଗଣତି ରାଜନେତା ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଥିଲେ ବା କରିବା ଦକ୍ଷତା ରଖୁଥିଲେ ସେମାନଙ୍କ ମଧ୍ୟରେ ନବ ଦାସ ଅନ୍ୟତମ ଓ ସଦ୍ୟତମ ଥିଲେ।