
ପଞ୍ଚାୟତ ନିର୍ବାଚନରେ ୨ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ଯୋଗ୍ୟ ଘୋଷିତ, ୮୬୪୮ ନାମାଙ୍କନ ନାକଚ୍
- ରାଜ୍ୟ
- January 23, 2022
- No Comment
- 133
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ୍ ହୋଇଯାଇଛି। ଏଥିରେ ୱାର୍ଡମେମ୍ବର ପାଇଁ ନାମାଙ୍କନ ଦାଖଲ କରିଥିବା ୫୫୪୪ ଜଣ, ସରପଞ୍ଚ ପାଇଁଁ ୧୭୫୩, ପଞ୍ଚାୟତ ସମିତି ପାଇଁ ୧୧୧୯ ଜଣ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୩୨ ଜଣ ଅଛନ୍ତି। ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଯେ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା। ରାଜ୍ୟର ୩୦ ଜିଲ୍ଲାରେ ମୋଟ୍ ୨ ଲକ୍ଷ ୨୯ ହଜାର ୬୨ ଜଣ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୱାର୍ଡମେମ୍ବର ପାଇଁ ସର୍ବାଧିକ ୧ଲକ୍ଷ ୬୨ ହଜାର ୨୯୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସରପଞ୍ଚ ପାଇଁ ୩୪ ହଜାର ୬୧୩ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେହିପରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ ହଜାର ୯୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ସୂଚନାଯୋଗ୍ୟ, ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟିଂ ହେବ। ପ୍ରଥମ ଥର ପାଇଁ ଏଥର ବ୍ଲକ ସଦର ମହକୁମାରେ ଭୋଟ୍ ଗଣତି ହେବ। ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ। ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ମତଦାତା ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବେ।