
ଅପରାଧୀଙ୍କ ଆଶ୍ରୟସ୍ଥଳ ବସ୍ତି: ଅଧିକ ଭଡ଼ା ପ୍ରଲୋଭନରେ ପାଉଛନ୍ତି ପ୍ରଶ୍ରୟ
- ଅପରାଧ
- January 23, 2022
- No Comment
- 173
ଭୁବନେଶ୍ବର: ରାଜଧାନୀର ବସ୍ତିଗୁଡ଼ିକ ପାଲଟିଛି ଅପରାଧୀଙ୍କ ଆଡ଼ାସ୍ଥଳୀ। ପରିଚୟ ଗୋପନ ରଖି ସେମାନେ ଘର ଭଡ଼ା ନେଉଛନ୍ତି। ଅଧିକ ଭଡ଼ା ଦେବାର ପ୍ରଲୋଭନ ଦେଖାଇବାରୁ ବସ୍ତିରେ ଘର ଭଡ଼ା ଦେଉଥିବା ବାସିନ୍ଦାମାନେ ସେମାନଙ୍କୁ ଘର ଦେଉଛନ୍ତି। ସେମାନେ ନିଜର ପରିଚୟ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଅଧିକ ଭଡ଼ା ପାଇବା ଲୋଭରେ ଘର ମାଲିକ ବି ପରିଚୟ ଖୋଜୁ ନାହିଁ। ରାଜଧାନୀରେ ଅପରାଧ ଘଟାଇ ଅପରାଧୀମାନେ ଫେରାର୍ ହୋଇଯାଉଛନ୍ତି ଓ ମାମଲା ଥଣ୍ଡା ପଡ଼ିଗଲେ ପୁଣି ଆସି ବସ୍ତିରେ ରହୁଛନ୍ତି। ବସ୍ତିରେ ସହଜରେ ଘର ଭଡ଼ା ମିଳୁଥିବାରୁ ନିଶା ବେପାରୀଙ୍କଠାରୁ ଆରମ୍ଭ କରି ଲୁଟେରା ଓ ଡକାୟତମାନେ ଆତ୍ମଗୋପନ କରିବାକୁ ମଉକା ପାଉଛନ୍ତି। ଏଣେ କମିସନରେଟ୍ ପୁଲିସ ବସ୍ତିକୁ ଅପରାଧମୁକ୍ତ ଓ ନିଶାମୁକ୍ତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିଲେ ବି ଘର ଭଡ଼ା ଦେଉଥିବା ବସ୍ତିର ପ୍ରଭାବଶାଳୀ ଲୋକମାନଙ୍କ ଯୋଗୁଁ ସେସବୁ ଫଳପ୍ରଦ ହେଉ ନାହିଁ।
ପୁଲିସ ବସ୍ତିମିତ୍ର ଓ ପୁଲିସ ମିତ୍ର ଭଳି ଯୋଜନା କରିଛି। ବସ୍ତି ପରିବେଶକୁ ସୁସ୍ଥ ଓ ଅପରାଧମୁକ୍ତ କରି ରଖିବା ପାଇଁ କିଛି ସ୍ବେଚ୍ଛାସେବୀ ପୁଲିସକୁ ସହଯୋଗ କରିବାକୁ ଅଣ୍ଟା ଭିଡ଼ୁଛନ୍ତି। କିନ୍ତୁ ବସ୍ତିରେ ବେଆଇନ କାମକୁ ପ୍ରଶୟ ଦେଉଥିବା ବ୍ୟକ୍ତିମାନେ ସେମାନଙ୍କୁ ଟାର୍ଗେଟ୍ କରିବା ଦେଖାଯାଉଛି। ବସ୍ତିରେ ଅଧିକ ଜମି ଜବରଦଖଲ କରି ଘର ଭଡ଼ା ଲଗାଉଥିବା କିଛି ପ୍ରଭାବଶାଳୀ ଲୋକ ସେମାନଙ୍କ କଳା କାରନାମା ଧରାପଡ଼ିବା ଭୟରେ ଏହି ମିତ୍ରମାନଙ୍କୁ ନାନାପ୍ରକାର ହଇରାଣ କରୁଛନ୍ତି। ସେମାନଙ୍କ ସ୍ବାର୍ଥରେ ବାଧା ଉପୁଜିବା ଆଶଙ୍କାରେ ସେମାନେ ମିତ୍ରମାନଙ୍କୁ ବହୁ ସମୟରେ ପରୋକ୍ଷରେ ଧମକଚମକ ଦେଉଛନ୍ତି। ଫଳରେ ବିନା କାରଣରେ ମିତ୍ରମାନେ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ପୁଣି ବସ୍ତି ତଥା ପୁଲିସ ମିତ୍ରଙ୍କ ନଜରରୁ ବର୍ତ୍ତିବା ପାଇଁ ଘର ଭଡ଼ା ଦେଉଥିବା ଅସାଧୁ ଲୋକମାନେ ଭଡ଼ାଟିଆଙ୍କୁ ନିଜ ସମ୍ପର୍କୀୟ ବୋଲି କହିବାକୁ ପଛାଉ ନାହାନ୍ତି। ଏମିତିକି ଭଡ଼ା ନେଇଥିବା ଅପରାଧୀ ଫେରାର୍ ରହୁଥିବା ବେଳେ ଘର ଖାଲି ରହୁଥିବା ନେଇ ସେମାନେ ସମ୍ପର୍କୀୟ ବ୍ୟକ୍ତି ବାହାରକୁ ଜରୁରୀ କାମରେ ଯାଇଛନ୍ତି ବୋଲି ସଫେଇ ଦେଉଛନ୍ତି। ତେଣୁ ମିତ୍ରମାନେ ସଠିକ୍ ତଥ୍ୟ ପାଇବାରେ ସମର୍ଥ ହେଉନାହାନ୍ତି।
ଫଳରେ ବିଏମ୍ସି, ବିଡିଏ ଓ କମିସନେରଟ୍ ପୁଲିସ ପକ୍ଷରୁ ଖାଲି ଘର ଉଚ୍ଛେଦ କରାଯାଉଥିବା ପ୍ରକ୍ରିୟା ସଫଳ ହୋଇପାରୁନାହିଁ। ଏମିତିରେ ଖୋଦ୍ ବସ୍ତିର ପ୍ରଭାବଶାଳୀ ଲୋକମାନେ ହିଁ ରାଜଧାନୀରେ ଅପରାଧ ଘଟାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। କିଛି ଘଟଣାରେ ଅପରାଧର ପର୍ଦ୍ଦାଫାସ ହେବା ପରେ ପୁଲିସ ସେଭଳି ଘରକୁ ଭାଙ୍ଗୁଛି ସିନା ସବୁ ଅପରାଧୀଙ୍କୁ ସାବାଡ୍ କରିବା ସମ୍ଭବ ହେଉନାହିଁ। ଯେଉଁ କିଛି କ୍ଷେତ୍ରରେ କଥା ଜଣାପଡ଼ୁଛି, ସେଠାରେ ଅପରାଧୀଙ୍କୁ ଘର ଭଡ଼ା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅନ୍ୟମାନେ ଏଭଳି କାମରୁ ନିବୃତ୍ତ ରହୁନାହାନ୍ତି। କିଛି ବସ୍ତିବାସିନ୍ଦାମାନଙ୍କ କହିବା କଥା, ବସ୍ତିରେ ରହୁଥିବା ଶତକଡ଼ା ୮୦ ଭାଗ ଲୋକ ଶ୍ରମିକ ଶ୍ରେଣୀୟ। କାମ କଲେ ସେମାନଙ୍କ ଚୁଲି ଜଳେ। ତେଣୁ ଯେଉଁ ବାହୁବଳୀମାନେ ଘର ଭଡ଼ା ଲଗାଇ ମୋଟା ଅଙ୍କ ପାଉଛନ୍ତି, ସେମାନଙ୍କ ବିରୋଧରେ ଲଢ଼ିବାକୁ ସେମାନଙ୍କ ପାଖରେ ବଳ ନାହିଁ କି ସମୟ ବି ନାହିଁ। ତେଣୁ ଏମିତି ହେଲେ, ପୁଲିସର ବସ୍ତି ଅପରାଧମୁକ୍ତ ଯୋଜନା କିଭଳି ଫଳପ୍ରଦ ହେବ ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଏଥିପାଇଁ ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ଅଧିକ ଖୋଳତାଡ଼ କରିବା ଆବଶ୍ୟକ ବୋଲି କୁହାଯାଉଛି। ବସ୍ତିରେ ଘର ଭଡ଼ା ଲଗାଇଥିବା ଲୋକଙ୍କ କବଳରୁ ଜବରଦଖଲ ଜମି ଛଡ଼ାଇ ଆଣିବାକୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ବୋଲି କୁହାଯାଉଛି।