
ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ବଡ ସଫଳତା,କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଗିରଫ
- Breaking newsଅପରାଧମୁଖ୍ୟ ଖବରରାଜ୍ୟ
- February 24, 2022
- No Comment
- 189
ଅନୁଗୁଳ: ଶେଷରେ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କୋଡ଼ିଏ ଦିନ ଧରି ଜାଲ ବିଛାଇ ବସିଥିବା ଅବକାରୀ ସ୍କ୍ୱାଡ୍ ଶେଷରେ ଆଜି ଅପରାହ୍ନ ପ୍ରାୟ ତିନିଟା ବେଳେ ବଅଁରପାଳରୁ ଜୟପ୍ରକାଶକୁ ଉଠାଇ ନେଇଥିଲେ। ରାଣୀଗୋଡ଼ା ନାୟକ ସାହିରେ ଥିବା ଏକ ଭଡ଼ାଘରେ ରହି ଜୟପ୍ରକାଶ ନକଲି ମଦ ତିଆରିରେ ବ୍ୟବହୃତ ଠିପି, ଲେବୁଲ ଆଦି କଲିକତାରୁ ଆଣି ବିଭିନ୍ନ ଗୁପ୍ତ ଆଡ୍ଡାକୁ ଚାଲାଣ କରୁଥିଲା। ଗତ ଫେବୃୟାରୀ ୫ ତାରିଖରେ ଅବକାରୀ ଟିମ୍ ଭଡ଼ାଘରେ ଚଢ଼ାଉ କରିବା ପୂର୍ବରୁ ଫେରାର ହୋଇଯାଇଥିଲା। ଅନୁଗୁଳ ଅବକାରୀ ବିଭାଗ ଏବଂ କଟକ ଫ୍ଲାଇଙ୍ଗ ସ୍କ୍ୱାଡର ଅଧିକାରୀ ମାନେ ଜୟପ୍ରକାଶକୁ ଧରିବା ପାଇଁ ଜାଲ ବିଛାଇଥିଲେ। ଏଣେ ଜୟ ପ୍ରକାଶର ଘର ବିହାରରେ ଛାପା ମାରି ତା’ ବାପା-ମା କୁ ଅବକାରୀ ଅଧିକାରୀ ମାନେ ଥାନାରେ ବସାଇ ଦେଇଥିଲେ। ପୁଅ ସରେଣ୍ଡର କଲେ ଛାଡ଼ିବେ ବୋଲି ଚାପ ପକାଇ ଥିଲେ। ତେଣୁ ଜୟପ୍ରକାଶର ଭାଇ ମହେଶ ଗୁପ୍ତା ଏବଂ ଓକିଲଙ୍କ ପରାମର୍ଶ କ୍ରମେ ବଅଁରପାଳ ଜେଏମ୍ଏଫ୍ସି କୋର୍ଟରେ ଗୁରୁବାର ସରେଣ୍ଡର ହେବାକୁ ସ୍ଥିର ହୋଇଥିଲା। ଅପରାହ୍ନ ପ୍ରାୟ ତିନିଟା ବେଳେ ଜୟପ୍ରକାଶ ତାର ଓକିଲଙ୍କ ସହ କୋର୍ଟ ଭିତରକୁ ପ୍ରବେଶ କଲାବେଳେ ବାଟ ମୁହଁରେ ସାଧାବେଶରେ ଛକି ବସିଥିବା ପ୍ରାୟ ୩୦ ଜଣ କର୍ମଚାରୀ ଜୟପ୍ରକାଶକୁ କାବୁ କରି ନେଇଥିଲେ। ସର୍ବ ଶେଷ ଖବର ଅନୁଯାୟୀ ଅନୁଗୁଳ ବରିଷ୍ଠ ଅଧିକାରୀମାନେ ଜୟପ୍ରକାଶକୁ ଜେରା ପାଇଁ କଟକ ନେଇଯାଇଛନ୍ତି। ସେଠାରେ ଜେରା ସମ୍ପୂର୍ଣ୍ଣ ହେବାପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଉଚି।