
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା !
- Breaking newsଦେଶ ବିଦେଶରାଜ୍ୟ
- March 16, 2022
- No Comment
- 94
ଖରା ଧୀରେ ଧୀରେ ଆରମ୍ଭ ହୋଇ ଯାଇଥିବାବେଳେ ଏହି ସମୟରେ ବାତ୍ୟା ଆସିବାର ଆଶଙ୍କା ଦେଖାଯାଇଛି। ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ଦାନା ବାନ୍ଧିବ । ଏମିତି ସମ୍ଭାବ୍ୟ ଚିତ୍ର ଦେଖାଇଛନ୍ତି ବିଭିନ୍ନ ପାଣିପାଗ ମଡେଲ୍ । ଏହାର ତୀବ୍ରତା ଗତିପଥ ନେଇ ଏବେ ଠାରୁ ଆକଳନ କରିହେବନି ।
ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜିଏଫଏସ, ଇସିଏମଡବ୍ଲୁଏଫ, ଆଇଏମଡି ଜିଏଫଏସ ମଡେଲ ଅନୁସାରେ ଆସନ୍ତା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ।
ଏହା କେତେ ଘନୀଭୂତ ହେବ ? ଗତିପଥ କ’ଣ ରହିବ? କେଉଁଠାରେ ସ୍ଥଳଭାଗ ଛୁଇଁବ ? ସେ ଦିଗରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ । ଏନ୍ସିଇପି ଜିଏଫଏସ ମଡେଲ୍ କହୁଛି ଏହା ଦିଗ ବଦଳାଇ ବୁଲିଯିବା ଯୋଗୁ ଭାରତୀୟ ଉପକୂଳକୁ ଛୁଇଁ ନପାରେ । କିନ୍ତୁ ଜଳବାୟୁ ପରିବର୍ତ୍ତନରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତୀୟ ଉପକୂଳ ଛୁଇଁବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ ।
ଡକ୍ଟର ପଶୁପାଳକ ଦର୍ଶାଇଛନ୍ତି ଯେ ଜିଏଫ୍ଏସ୍ ଏନସିଇପି ମଡେଲର ପ୍ରାକ୍ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇପାରେ । ହେଲେ ବଙ୍ଗୋପସାଗରରେ ପହଞ୍ଚିଲାବେଳକୁ ଦୁର୍ବଳ ହୋଇସାରିଥିବ । ପୁଣି ଦିଗ ବୁଲାଇ ବାଙ୍ଗଲାଦେଶ ପୂର୍ବ ଉପକୂଳକୁ ଯାଇପାରେ ।
ଇସିଏମଡବ୍ଲୁଏଫ ଆକଳନ କହୁଛି, ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶାଠାରୁ ପ୍ରାୟ ୨୪୦ କିମି ଦୂରରେ ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ । ମାତ୍ର ସେତେବେଳକୁ ଏହା ଦୁର୍ବଳ ହୋଇ ଆଉ ବାତ୍ୟା ଅବସ୍ଥାରେ ନଥିବ । ଏସବୁ କେବଳ ପ୍ରାକ୍ ଆକଳନ । ଆସନ୍ତା ୨୦ ତାରିଖବେଳକୁ ସ୍ପଷ୍ଟ ଚିତ୍ର ମିଳିପାରେ । ତେବେ ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା କୌଣସି ବାତ୍ୟା ଭାରତ ଉପକୂଳରେ ପହଞ୍ଚିବା ନଜିର ନାହିଁ । ମାର୍ଚ୍ଚରେ ବାତ୍ୟା ସୃଷ୍ଟି ହେବା ଅସ୍ୱାଭାବିକ ପାଣିପାଗର ଲକ୍ଷଣ ।
ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଏବେ ରାଜ୍ୟରେ ଗରମ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା ୨/୩ ଦିନ ଭିତରେ ପାରଦ ୪୦ ଡିଗ୍ରୀ ଛୁଇଁଯିବ । ବଲାଙ୍ଗିର ଜିଲ୍ଲା, ସୋନପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣରେ ଗରମ ଜାରି ରହିବ ।
ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୬ ତାରିଖ ସୁଦ୍ଧା ଦିନ ତାପମାତ୍ରା ଆଉ ୨ ରୁ ୩ ଡିଗ୍ରୀ ବଢ଼ିପାରେ । କେତେକ ଜାଗାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ୧୭ ତାରିଖ ବେଳକୁ ବଙ୍ଗୋପସାଗରୀୟ ପବନ ଯୋଗୁ ସର୍ବାଧିକ ତାପମାତ୍ରା ୪ ଡିଗ୍ରୀ କମିପାରେ । ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପୂରା ରାଜ୍ୟରେ ପଡ଼ିବନି । କେବଳ ୨୨ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାପମାତ୍ରା ଖସିପାରେ । ୨୨ ତାରିଖ ଓ ୨୩ ତାରିଖରେ ସାମୁଦ୍ରିକ ପବନ ବହିବା ଯୋଗୁ ଗରମ କମିବ ।