ନୂଆଦିଲ୍ଲୀ, ୧୭/୦୯: ଆସିଲା ବଡ ଖବର l ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି | ଏହି ସମୟରେ ଅତିଶି, ସୌରଭ ଭରଦ୍ୱାଜ ଓ ଗୋପାଳ ରାୟ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ | ଅବକାରୀ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ମୁକୁଳିବା ପରେ ରବିବାର ସେ ଏହାର ଘୋଷଣା କରିଥିଲେ । ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇଯାଇଥିଲା । ଉପରାଜ୍ୟପାଳଙ୍କୁ ଭେଟି ବର୍ତମାନ ଇସ୍ତଫା ଦେଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାଁରେ ମୋହର ବାଜିଥିଲା । ସର୍ବ ସମ୍ମତିକ୍ରମେ ଅତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବାଛିଥିଲେ ବିଧାୟକ ।
କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଏବେ ଆପର ଅନ୍ୟତମ ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ସେ ମଧ୍ୟ ଉପ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ତେବେ ଏବେ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି ଆତିଶୀ । କହି ରଖୁଛୁ, ଗତକାଲି ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ୪୮ ଘଣ୍ଟାରେ ସେ ସିଏମ୍ ପଦ ଛାଡ଼ିବେ ବୋଲି କହିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପଲିଟିକାଲ୍ ଆଫେୟାର୍ସ କମିଟି (ପିଏସି)ର ଏକ ବୈଠକ ହୋଇଥିଲା । ଆଜି ସକାଳ ୧୧ଟାରେ ଆମ୍ ଆଦମୀ ପାର୍ଟି ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ନାମରେ ମୋହର ବାଜିଥିଲା ।