ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। ଆମ୍ ଆଦମୀ ପାର୍ଟିର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି ମାର୍ଲେନା ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ଦିଲ୍ଲୀର ଶାସନ ଭାର ସମ୍ଭାଳିବେ । ଆଜି ଅପରାହ୍ଣ ୪ଟା ୩୦ରେ ଦିଲ୍ଲୀ ରାଜଭବନରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ। ବିଜେପିର ସୁଷମା ସ୍ବରାଜ ଓ କଂଗ୍ରେସର ଶିଲା ଦିକ୍ଷୀତଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆତିଶି । ଏହାସହ ଆତିଶିଙ୍କ ସହ ଆପ୍ ର ଆଉ ୫ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ପ୍ରାୟ ୬ ମାସ ଜେଲରେ ରହି ବେଲ୍ ରେ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅରବିନ୍ଦ କେଜ୍ରିୱାଲ । ଏହାପରେ ଆମ୍ ଆଦମୀ ପାର୍ଟିର ଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ପାଇଁ ଆତିଶି ମାର୍ଲେନାଙ୍କ ନାଁ ରେ ମୋହର ବାଜିଥିଲା । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଆତିଶିଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି।

ଆତିଶି ମାର୍ଲେନା ପୂର୍ବରୁ ଦିଲ୍ଲୀ ସରକାରରେ ଶିକ୍ଷା, ପୂର୍ତ୍ତ, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ୧୯୮୧ରେ ଏକ ପଞ୍ଜାବୀ ରାଜପୁତ ପରିବାର ପରିବାରରେ ଆତିଶି ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାମାତା ବିଜୟ ସିଂ ଓ ତ୍ରିପ୍ତା ୱାହି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରହିଛନ୍ତି । ଦିଲ୍ଲୀର ସ୍ପ୍ରିଙ୍ଗଡେଲ୍ସ ସ୍କୁଲରେ ସ୍କୁଲ ଶିକ୍ଷା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନ ସେଣ୍ଟ୍ ଷ୍ଟିଫେନସ କଲେଜରେ ସେ ବ୍ୟାଚଲର ଡିଗ୍ରୀ କରିଛନ୍ତି । ଏହାପରେ ସେ ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ମେନିଫେଷ୍ଟୋ ଡ୍ରାଫ୍ଟିଂ କମିଟିର ସକ୍ରିୟ ସଦସ୍ୟ ରହିବା ସହିତ ଆତିଶି ଙ୍କର ଏହିଠାରୁ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୨୦୨୦ରେ ବିଜେପିର ଧରମବୀର ସିଂଙ୍କୁ ହରାଇ କାଲକାଜି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ଆତିଶି । ପରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ କ୍ୟାବିନେଟରୁ ବାଦ୍ ପଡ଼ିବାରୁ ଆତିଶିଙ୍କୁ ଦିଲ୍ଲୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରାଯାଇଥିଲା । ଚଳିତ ସ୍ୱାଧୀନତା ଦିବସରେ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବା ସମୟରେ ଆତିଶି ମାର୍ଲେନାଙ୍କୁ ଦିଲ୍ଲୀରେ ପତାକା ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ।

Leave a Reply

Your email address will not be published. Required fields are marked *