ବର୍ତ୍ତମାନ ଭାରତ-ବାଂଲାଦେଶ ସୀମାରେ ବଢୁଛି ଉତ୍ତେଜନା । ପଶ୍ଚିମବଙ୍ଗ କୁଚବେହାରରେ ଭାରତ-ବାଂଲାଦେଶ ସୀମାରେ, ସୀମା ସେପଟେ ଭିଡ଼ ଜମାଇଛନ୍ତି ହଜାର ହଜାର ବାଂଲାଦେଶୀ। ନିଜ ଦେଶରେ ଏବେ ସ୍ଥିତି ଭୟଙ୍କର ଥିବା ବେଳେ, ଭାରତକୁ ଅନୁପ୍ରବେଶ ପାଇଁ କରିଛନ୍ତି ଅପେକ୍ଷା କରି ରହିଛନ୍ତି ହଜାର ହଜାର ବାଂଲାଦେଶୀ। ହାସିନା ସରକାରର ପତନ ପରଠୁ ପ୍ରତିଦିନ ଏଭଳି ଭିଡ଼ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସେଠାକାର ସ୍ଥାନୀୟ ବାସିନ୍ଦା। ସାମ୍ନାକୁ ଆସୁଛି ସେଠାକାର ଚିନ୍ତାଜନକ ଚିତ୍ର । ସୀମାରେ ବିଏସ୍ଏଫ୍ ବି ସତର୍କ କରିଛି ଯେ, ପ୍ରାୟ ୧୨ଶହ ବାଂଲାଦେଶୀ କଏଦୀ ଭାରତରେ ଅନୁପ୍ରବେଶ କରିପାରନ୍ତି। ସକାଳୁ ସକାଳୁ ସୀମାରେ ଭିଡ଼ ଜମୁଛି ଆଉ ଅନ୍ଧାର ହୋଇଗଲେ ଅନୁପ୍ରବେଶ ପାଇଁ ଉଦ୍ୟମ ହେଉଛି । ଅନ୍ୟପଟେ ସୀମାରେ ସତର୍କ ଅଛି ସୀମା ସୁରକ୍ଷା ବାହିନୀ। ବିଏସଏଫ୍ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ଅନୁପ୍ରବେଶ କାରୀଙ୍କ ଗତିବିଧି ଉପରେ। ବାଂଲାଦେଶୀଙ୍କୁ ଜିରୋ ପଏଣ୍ଟରେ ଅଟକାଇଛି ବିଏସ୍ଏଫ୍ । ସେପଟେ ଜଲପାଇଗୁଡ଼ିରେ ପ୍ରାୟ ୫ଶହ ବାଂଲାଦେଶୀଙ୍କୁ ବାଂଲାଦେଶକୁ ଫେରାଇ ଦେଇଛି ବିଏସ୍ଏଫ୍। ଝାପରଟୋଲା ଚେକପୋଷ୍ଟ ପାଖରେ ୩ଟି ପର୍ଯ୍ୟାୟରେ ବାଂଲାଦେଶୀ ମାନେ ଅବୈଧ ଭାବେ ଭାରତରେ ପଶିବାକୁ ଉଦ୍ୟମ କରିଥିଲେ। କେବଳ ସ୍ଥଳ ସୀମା ନୁହେଁ, ବରଂ ଜଳସୀମା ପଟେ ମଧ୍ୟ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା ଥିବାରୁ ସମୁଦ୍ର ତଟରେ ବର୍ତ୍ତମାନ କଡାକଡି ଯାଞ୍ଚ ଚାଲିଛି। ଓଡ଼ିଶା ସୀମାରେ ବି କଡ଼ା ପ୍ରହରା ଦିଆଯାଇଛି। ସ୍ଥଳ ଓ ଜଳ ପଥ ଉପରେ ଏବେ ସେନାର ତୀକ୍ଷ୍ଣ ନଜର ରହିଛି।