ନୂଆଦିଲ୍ଲୀ ୧୩ /୦୮: ପତଞ୍ଜଳି କମ୍ପାନିର ବିଭ୍ରାନ୍ତକାର ବିଜ୍ଞାପନକୁ ନେଇ ଗତ କିଛି ଦିନ ହେବ ବିବାଦ ଲାଗି ରହିଥିଲା। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ର ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ଆବେଦନ କରାଯାଇଥିବା ମାନହାନୀ ମାମଲା ସୁପ୍ରିମକୋର୍ଟ ରେ ଦାୟର କରାଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ସୂଚନା ମିଳିଛି । ଏହି ମାମଲା ଉପରେ ବିଚାର କରି ମେ 14ରେ ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ , ଯାହା ଆଜି ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅଶନଉଦ୍ଦିନ ଅମନଉହ୍ଲା ଏହି ରାୟ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ପୂର୍ବରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା। ଏମାନେ ଏଲୋପାଥିକ ଔଷଧ ଏବଂ କୋଭିଡ ଟିକାକରଣ ବିରୁଦ୍ଧରେ ଲୋକମାନଙ୍କ ଆଗରେ ବିଭ୍ରାନ୍ତକର ପ୍ରଚାର କରିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୀର୍ଘଦିନ ହେବ ମାମଲା କୋର୍ଟ ରେ ଚାଲିଥିଲା। ଶେଷରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା ପାଇଁ ଆବେଦନ କରିଥିଲେ। ଆଗକୁ ଏପରି ପ୍ରଚାର ପ୍ରସାର କରିବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ସର୍ବୋଚ୍ଚ ଅଦାଲତ ସେମାନଙ୍କ କ୍ଷମା ଆବେଦନକୁ ଗ୍ରହଣ କରିଛନ୍ତି। ଏଥିସହ ପତଞ୍ଜଳି ବିରୁଦ୍ଧରେ ଥିବା ସମସ୍ତ ମାମଲାକୁ ବନ୍ଦ କରି ଦେଇଛନ୍ତି ଅଦାଲତ । ଯଦି ଆଗକୁ ନିର୍ଦ୍ଦେଶର ଉଲ୍ଲଙ୍ଘନ ହୁଏ, ତେବେ ସେମାନଙ୍କ ବିରୋଧରେ ଆଗକୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁପ୍ରିମକୋର୍ଟ ତାଙ୍କୁ କଡା ଚେତାବନୀ ଦେଇଛନ୍ତି।