ପ୍ରତ୍ୟେକ ବ୍ୟକ୍ତି ଏବଂ ରୋଷେଇ ଘରେ ଆଳୁ ଏକ ପ୍ରିୟ ଏବଂ ଜରୁରୀ ପରିବା ହୋଇଥାଏ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆଳୁ ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି । ଭେଜ୍ ନନ୍ଭେଜ ତଥା ,ଅଧିକାଂଶ ଭାରତୀୟ ବ୍ୟଞ୍ଜନ ପ୍ରସ୍ତୁତିରେ ଆଳୁର ବ୍ୟବହାର ବହୁଳ ମାତ୍ରାରେ ହୋଇଥାଏ । ସେଥିପାଇଁ ତ ଆଳୁକୁ ପରିବାର ରାଜା ବୋଲି କୁହାଯାଏ । ସାଧାରଣତଃ ଆଳୁକୁ ଆମେ ବ୍ୟବହାର କରିବା ପୂର୍ବରୁ ଏହାର ଚୋପାକୁ ଛଡାଇ ଫୋପାଡ଼ି ଦେଇଥାଉ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଳୁ ଚୋପାରେ ବିଶେଷ ଔଷଧୀୟ ଗୁଣ ରହିଛି ଯାହା ଆମ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ। ଏଥିରେ ପୋଟାସିୟମ, କ୍ୟାଲସିୟମ, ଫାଇଭର, ଭିଟାମିନ ଭଳି ଅନେକ ପୋଷକ ତତ୍ତ୍ବ ରହିଛି, ଯାହା ଆମ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ୨୦୧୮ରେ ପ୍ରକାଶିତ ଏଗ୍ରିକଲଚର ଆଣ୍ଡ ଫୁଡ କେମିଷ୍ଟ୍ରି ଜର୍ନାଲର ଏକ ଅଧ୍ୟୟନ ଅନୁସାରେ, ଆଳୁ ଚୋପାରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଯାହା ଆଖି ତଳେ ହୋଇଥିବା କଳା ଦାଗ ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ । ଏହାଛଡା ଆଳୁ ଚୋପାକୁ ମୁହଁରେ ଘଷିବା ଦ୍ବାରା କୁଣ୍ଡେଇ ହେବା ଓ ରାସେସ୍ରୁ ମଧ୍ୟ ଆମକୁ ଆରାମ ମିଳିଥାଏ। ଆଳୁ ଚୋପାରେ ଥିବା ଆଇରନ ଏନିମିଆରୁ ସୁରକ୍ଷା ଦିଏ । ଏଥିରୁ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ B3 ଓ ନିଆସିନ ମିଳେ । ଯାହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ । ଗବେଷଣାରୁ ମଧ୍ୟ ଜଣାଯାଇଛି ଯେ ଜୋତା ପଲିସି ପାଇଁ ଆଳୁ ଚୋପାକୁ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ଚୋପାକୁ ଜୋତାରେ ଘସିଲେ ସଙ୍ଗେ ସଙ୍ଗେ ମଇଳା ବାହାରିଯିବା ସହିତ ସଫା ଦିଶେ । ଅନ୍ୟପଟେ ସ୍ୱଳ୍ପସମୟ ମଧ୍ୟରେ ଚୋପାରୁ ସ୍ବାଦିଷ୍ଟ ସ୍ନାକ୍ସ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହି ଚୋପାକୁ ତେଲରେ ଛାଣି କିଛି ମସାଲା ମିଶାଇ କୁରକୁରି ଚିପ୍ସ ରୂପେ ଖାଇପାରିବେ । ଆଳୁ ଚୋପାରେ ପ୍ରଚୁର ମାତ୍ରାରେ ଫାଇବର ଥାଏ, ଯାହା ଆମର ସ୍ବାସ୍ଥ୍ୟ ପାଇଁ ବହୁତ ଭଲ । ଏଥିରେ କୋଷ୍ଠକାଠିନ୍ୟ ସମସ୍ୟା ସମ୍ପୂର୍ଣ ଭାବରେ ଦୂର ହୋଇଥାଏ ।