ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦର ପାଇଁ ହେଲା ବଡ ଘୋଷଣା । ଖୁବଶୀଘ୍ର ବିମାନ ବନ୍ଦରରେ ଆଉ ଏକ ଟର୍ମିନାଲ ନିର୍ମାଣ କରାଯିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦିନକୁ ଦିନ ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ତଥା ବିଦେଶକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଉ ଏକ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଆଜି ଭୁବନେଶ୍ୱର ବିମାନବନ୍ଦରରରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଉଡ଼ୁ । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦର କାର୍ଯ୍ୟକ୍ଷମ ଟର୍ମିନାଲର କ୍ଷମତା ବାର୍ଷିକ ୪୦ ଲକ୍ଷ ରହିଛି। କିନ୍ତୁ ବର୍ଷକୁ ଏହି ଟର୍ମିନାଲ ଦେଇ ୫୦ ଲକ୍ଷ ଯାତ୍ରୀଙ୍କଠୁ ଅଧିକ ଯାତାୟତ କରୁଛନ୍ତି। ତେଣୁ ଏହାର କ୍ଷମତା ବଢ଼ାଇବାକୁ ଯୋଜନା ପ୍ରସ୍ତୁତ ହେଉଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୧ ମିଲିୟନ କ୍ଷମତା ବିଶିଷ୍ଟ ଏକ ନୂଆ ଟର୍ମିନାଲ ନିର୍ମିତ ହେବ । ଫଳରେ ଆହୁରି ଅଧିକ ସଂଖ୍ୟକ ଯାତ୍ରୀ ଏହି ବିମାନବନ୍ଦରରୁ ଯାତାୟତ କରି ପାରିବେ।ଏଥିସହ ଖୁବଶୀଘ୍ର ରନୱେ କ୍ୟାଟ୍ ଟୁ ଲାଇଟ୍ ବ୍ୟବସ୍ଥା ବି ହେବ । ଆଗାମୀ ମାସେ ମଧ୍ୟରେ ବହୁ କାମ ସମ୍ପନ୍ନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଭୁବନେଶ୍ୱରରୁ ଏବେ ଦେଶର ୨୦ଟି ରାଜ୍ୟକୁ ଓ ୪ଟି ଦେଶକୁ ସିଧାସଳଖ ବିମାନ ସେବା ରହିଛି। ଏହି ସଂଖ୍ୟା ଅଧିକ ବୃଦ୍ଧି କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି।