ଯେଉଁ ଦୋଷତ୍ରୁଟି ପାଇଁ ଓଡିଶାରେ ବିଜେଡିର ଦୀର୍ଘ ୨୪ବର୍ଷର ଶାସନର ଅନ୍ତ ଘଟିଲା ସେହି ଦୋଷତ୍ରୁଟିକୁ ନସୁଧାରି ଦଳ ଏବେପୁଣି ସେହି ମାର୍ଗରେ ପରିଚାଳିତ ହେଉଛି। ନିର୍ଦ୍ଧିଷ୍ଟ ଜଣେ ବ୍ୟକ୍ତି ଦଳକୁ ପରିଚାଳିତ କରିବା ଏବଂ ନେତା ମନ୍ତ୍ରୀ ମାନଙ୍କୁ ତାଙ୍କ କଥାରେ ଉଠବସ କରିବା ଦଳକୁ ଚଳିତ ନିର୍ବାଚନରେ ମହଙ୍ଗା ପଡିଲା | ବିଜେଡିର ସର୍ବେସର୍ବା କୁହାଯାଉଥିବା ପାଣ୍ଡିଆନଙ୍କ ହାତରେ ଦଳର ସମସ୍ତ କ୍ଷମତା କେନ୍ଦ୍ରୀଭୂତ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମଧ୍ୟ ନିଜ ଅଧୀନରେ ରଖିଥିଲେ | ଏବେ ପୁଣି ସେହି ନୀତି ଦୋହରାଇବାରେ ଲାଗିଛି ବିଜେଡି |
ରାଜନୀତିର ‘ର’ ଅକ୍ଷର କି ଅଭିଜ୍ଞତା ନଥିବା ତଥା କର୍ପୋରେଟ ଜଗତରୁ ଆସିଥିବା ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଏବେ ନିଜର ‘ବସ୍’ ବୋଲି ବିଧିବଦ୍ଧ ଭାବେ ସ୍ୱୀକାର କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ବୈଠକରେ ଦଳର ପୁରୁଖା ନେତା ତଥା ପ୍ରସନ୍ନ ଆଚାର୍ଯ୍ୟ,ଦେବୀପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କଠୁ ଆରମ୍ଭ କରି ପ୍ରତାପ ଜେନା, ଅରୁଣ ସାହୁ, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ରମେଶ ମାଝୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ସମସ୍ତେ ନବାଗତ ସନ୍ତୃପ୍ତଙ୍କୁ ‘ବିଜେଡିର ନୂଆ ବସ୍’ ବୋଲି ସ୍ୱୀକାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ୧୯ଜଣିଆ ମୁଖପାତ୍ର ଟିମ୍ ଗଢ଼ିବା ପରେ ଗତକାଲି ଶଙ୍ଖଭବନରେ ପ୍ରଥମଥର ପାଇଁ ବୈଠକ ହୋଇଥିଲା ।
ମୁଖପାତ୍ର ଟିମରେ ଦଳର ବହୁ ପୁରୁଖା ଓ ଅଭିଜ୍ଞ ନେତାମାନେ ଥିଲେ ମଧ୍ୟ ନବାଗତ ସନ୍ତୃପ୍ତ ମିଶ୍ରଙ୍କ ବ୍ୟବହାର ‘ବିଜେଡି ବସ୍’ ଭଳି ଜଣାପଡୁଛି । ସେଣ୍ଟର ଟେବୁଲର ଶୀର୍ଷଭାଗରେ ଗୋଟିଏ ଚେୟାରରେ ଏକା ସନ୍ତୃପ୍ତ ମିଶ୍ର ହିଁ ବସିଥିଲେ । ଟେବୁଲର ଅନ୍ୟ ୩ ପାଖରେ ଦଳୀୟ ନେତାମାନେ ବସିବା, ବୈଠକକୁ ସନ୍ତୃପ୍ତ ପରିଚାଳନା କରିବା ଏବଂ ଦଳର ପୁରୁଖା ନେତାମାନେ ଏସବୁକୁ ନିରବରେ ସମ୍ମତି ଦେବା ହିଁ ବିଜେଡିରେ ସନ୍ତୃପ୍ତଙ୍କୁ ‘ନୂଆ କ୍ଷମତାକେନ୍ଦ୍ର’ର ସନ୍ଦେଶ ଦେଉଥିବା ଏବେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ତେବେ ନବୀନଙ୍କ ରାଜନୀତିକ ସଚିବ ହୋଇଥିବା ସନ୍ତୃପ୍ତ ମିଶ୍ର କିଭଳି ଭାବରେ ଦଳର ମହାସଚିବ ଭଳି ବୈଠକକୁ ପରିଚାଳନା କଲେ ଏବଂ ଉପସ୍ଥିତ ପୁରୁଖା ନେତାମାନେ କେହି ଏନେଇ ଆପତ୍ତି ଉଠାଇଲେ ନାହିଁ ତାହା ବିଜେଡି ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
ଦଳର ପରାଜୟ ପରେ ପାଣ୍ଡିଆନ ରାଜନୀତିକ ସନ୍ୟାସ ନେଇଛନ୍ତି ସତ କିନ୍ତୁ ନିଜର ପ୍ରତିନିଧି ଭାବେ କର୍ପୋରେଟ ଜଗତରୁ ଆସିଥିବା ସନ୍ତୃପ୍ତ ମିଶ୍ରଙ୍କୁ ଆଗକୁ ଆଣିଛନ୍ତି । ତାଙ୍କୁ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ପଦରେ ରଖି ତାଙ୍କ ମାଧ୍ୟମରେ ସଂଗଠନ ଉପରେ ପୁଣି ନିଜର ନିୟନ୍ତ୍ରଣ ରଖୁଥିବା ଏବେ ଜଣାପଡ଼ିଛି । ତେବେ ବିଜେଡିରେ ଚାଲିଥିବା ଗୋଟିଏ ପରେ ଗୋଟିଏ ଅନୈତିକ କାର୍ଯ୍ୟକୁ କିଭଳି ବରିଷ୍ଠ ନେତାମାନେ ଭାବେ ଗ୍ରହଣ କରୁଛନ୍ତି ତାହା ସବୁଠୁ ଏବେ ବଡ଼ ପ୍ରଶ୍ନ ହୋଇଛି ?