ହରିୟାଣା : ଆସନ୍ତା ଅକ୍ଟୋବର ୫ ତାରିଖରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ କଂଗ୍ରେସ ବିଜେପି ସହିତ ଅନ୍ୟାନ୍ୟ ରାଜନୈତିକ ଦଳ ମାନେ ମଧ୍ୟ ସେମାନଙ୍କର ରଣନୀତି ପ୍ରସ୍ତୁତ କରିସାରିଲେଣି। ଆଜି ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରିକରି ମୋଟ ୨୧ ଜଣଙ୍କ ନାଁ ଘୋଷଣା କରିଛି। କିନ୍ତୁ ଏଥର ହରିୟାଣାର ଜୁଲାନାରେ ହାଇପ୍ରୋଫାଇଲ ଲଢ଼େଇ ହେବାକୁ ଯାଉଛି । କାରଣ ଏହି ଆସନରେ ଗୋଟିଏ ପଟେ କଂଗ୍ରେସରୁ ଷ୍ଟାର ରେସଲର ତଥା ଅଲିମ୍ପିଆନ ଭିନେଶ ଫୋଗାଟ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ବିଜେପି ଏଥର କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ପ୍ରାର୍ଥୀ କରିଛି। ଭିନେଶ କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେଠାରେ ବିଜେପି କାହାକୁ ପ୍ରାର୍ଥୀ କରିବ ତା’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି କ୍ୟାପ୍ଟେନ ଯୋଗେଶଙ୍କ ନାଁ ଦଳ ବିଧିବଦ୍ଧ ଭାବରେ ଘୋଷଣା କରିଛି । କ୍ୟାପ୍ଟେନ ଯୋଗେଶ ବର୍ତ୍ତମାନ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଥିବା ସହିତ ହରିୟାଣା ବିଜେପିର କ୍ରୀଡ଼ା ସେଲର ସହ ଆବାହକ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ନିଜ ଫେସବୁକରେ ଉଲ୍ଲେଖ କରିଛନ୍ତି।