କଟା ଘା’ ରେ ଚୂନ ମାରିଲା ବିଜେପି

ହରିୟାଣା : ଫେଲ ମାରିଛି ସବୁ ଏକଜିଟ ପୋଲ। ସବୁ ଏକଜିଟ ପୋଲକୁ ବିଗାଡି ଦେଇଛି ବିଜେପି। ହରିୟାଣା ନିର୍ବାଚନରେ କଂଗ୍ରେସ ବହୁମତ ପାଇବା ସହିତ ସରକାର ଗଢ଼ିବ ବୋଲି ଏକଜିଟ ପୋଲ ଆକଳନ କରିଥିଲା । କିନ୍ତୁ ଏକଜିଟ ପୋଲକୁ ଭୁଲ ସାବ୍ୟସ୍ତ କରି ହରିୟାଣାରେ ହ୍ୟାଟ୍ରିକ ମାରିଛି ବିଜେପି । ହରିୟାଣା ବିଧାନସଭା ନିର୍ବାଚନରେ ଜିଲାପି ପ୍ରସଙ୍ଗ ହଟ୍‌ ଟପିକ୍‌ ଥିଲା। ହରିୟାଣା ଗୋହନାର ମାତୁରାମର ଜିଲାପି ରାହୁଲ ଗାନ୍ଧିଙ୍କୁ ଭାରି ପଡିଲାଣି। ସେ ଯେବେଠୁ ମଞ୍ଚ ଉପରୁ ଜିଲାପିରୁ ରୋଜଗାର ସମ୍ଭାବନା ଏବଂ ବଡ଼ ଫ୍ୟାକ୍ଟ୍ରି ଲଗାଇବାକୁ କହିଥିଲେ, ସେବେଠାରୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମିମ୍ସର ଝଡ଼ ସୃଷ୍ଟି ହୋଇଛି। ଏବେ କଂଗ୍ରେସ ହରିୟାଣାରେ ନିର୍ବାଚନ ହାରିବା ପରେ ବିଜେପି ଏହି ଜିଲାପିକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛି। ଏହାଛଡା ରାହୁଲ ଗାନ୍ଧିଙ୍କ ଘରକୁ ବିଜେପି ଏକ କିଲୋ ଜିଲାପି ମଧ୍ୟ ପଠାଇଛି। ଏକଥା ନିଜେ ବିଜେପି ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଟ୍ୱିଟ୍‌ କରି ସୂଚନା ଦେଇଛି। ହରିୟାଣାରେ ବିଜେପିର ହ୍ୟାଟ୍ରିକ୍‌ ପରେ ଦଳର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଭାରତୀୟ ଜନତା ପାର୍ଟି ହରିୟାଣାର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀଜୀଙ୍କ ଘରକୁ ଜିଲାପି ପଠାଯାଇଛି।’

ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ବିଜେପି ଟାର୍ଗେଟ୍‌ କରି ଏଭଳି ଟ୍ୱିଟ୍‌ କରିଛି। ବିଶେଷ କଥା ହେଉଛି ଏହି ଟ୍ୱିଟ୍‌ରେ ଅର୍ଡର ଡିଟେଲର ସ୍କ୍ରିନ୍‌ ସଟ୍‌ ମଧ୍ୟ ଆଟାଜ କରାଯାଇଛି, ଯେଉଁଥିରେ ୨୪ ଆକବର ରୋଡ ପାଇଁ କନଟ୍‌ ପ୍ଲେସ ବିକାନେରୱାଲା ମିଠା ଦୋକାନୀ ଠାରୁ ଜିଲାପିର ଅର୍ଡର କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଜିଲାପିର ମୂଲ୍ୟ ମଧ୍ୟ ୬୦୯ ଟଙ୍କା ଲେଖାଯାଇଛି, । କହିରଖୁ ଯେ, ହରିୟାଣା ନିର୍ବାଚନ ପ୍ରଚାର ବେଳେ ଗୋହନାରେ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜିଲାପି ଖାଇଥିଲେ ରାହୁଲ ଗାନ୍ଧି। ଖାଇବା ପରେ ଭାଷଣରେ ସେହି ଜିଲାପି ଥିଓରି ଦୋହାରାଇଥିଲେ ରାହୁଲ। ସେ କହିଥିଲେ, ଏଭଳି ଜିଲାପି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ। କିନ୍ତୁ ଏହାକୁ ନେଇ ତୀବ୍ର ସମାଲୋଚନା କରିଥିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ। ସେ କହିଥିଲେ, ରାହୁଲ ଜାଣିନାହାନ୍ତି ଜିଲାପି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ।

Leave a Reply

Your email address will not be published. Required fields are marked *