ନବୀନଙ୍କ ଉପରେ ବର୍ଷିଲେ ବିଜେପି ନେତା

ଭୁବନେଶ୍ୱର : ନବୀନଙ୍କୁ କଡା ସମାଲୋଚନା କଲା ବିଜେପି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି। ଭଦ୍ରକରେ ଚାଲିଥିବା ଦଙ୍ଗାକୁ ନେଇ ନବୀନ ଏକ୍ସରେ ଲେଖିଥିଲେ, ଭଦ୍ରକ ଓ ସୋନପୁରର ସାଙ୍ଗଠନିକ ପଦାଧିକାରୀ ଏବଂ ନେତୃବୃନ୍ଦଙ୍କୁ ଭେଟିଲି। ତିନି ମାସରେ ୪ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଯୋଗଦାନ ସହ ଶାନ୍ତି ଓ ସଦଭାବ ପାଇଁ ସମସ୍ତେ କାମ କରିବାକୁ ଆହ୍ୱାନ ଦେଲି। ନବୀନଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ‘ଏକ୍ସ’ ଜରିଆରେ ବିଜେପି ପକ୍ଷରୁ ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ଦେଇଛନ୍ତି। ‘ଏକ୍ସ’ ପୋଷ୍ଟରେ ସେ ନବୀନଙ୍କୁ କଡା ପ୍ରଶ୍ନ ପଚାରିଛନ୍ତି ବିଜେଡି ୨୪ ବର୍ଷ ଶାସନରେ ଥିବା ବେଳେ , କନ୍ଧମାଳ ଦଙ୍ଗା ବେଳେ ମୁଖ୍ୟମନ୍ତ୍ରୀ କିଏ ଥିଲେ ? ୨୦୧୭ ଭଦ୍ରକ ଦଙ୍ଗା, ୨୦୨୧ ସମ୍ବଲପୁର ଅଶାନ୍ତ ବେଳେ କିଏ ଶାସନ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ଅନିଲ। ସେ କହିଛନ୍ତି, ନବୀନ ବାବୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ। ରାଜ୍ୟରେ ରାଜନୈତିକ ରୁଟି ସେକିବାକୁ ନବୀନ ସାଂପ୍ରଦାୟିକ ବୟାନବାଜି କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କଡ଼ା ଆକ୍ଷେପ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭଦ୍ରକ ଦଙ୍ଗାରେ ଗିରଫ ଅଭିଯୁକ୍ତଙ୍କ ଫଟୋ ବିଜେଡି ବିଧାୟକଙ୍କ ସହ ରହିଛି। ଏଥିସହିତ କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ନବୀନ ରାଜ୍ୟସଭା ର ସାଂସଦ ବି କରିଛନ୍ତି। ଏହା କଣ ନବୀନ ବାବୁଙ୍କ ସ୍ୱଚ୍ଛ ସୁଶାସନର ପ୍ରତୀକ ବୋଲି ପ୍ରଶ୍ନ କରିଛି ବିଜେପି।

Leave a Reply

Your email address will not be published. Required fields are marked *