ଭୁବନେଶ୍ବର: କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ର ଓଡିଶା ପାଇଁ ଏକ ବଡ଼ ଘୋଷଣା। ଏଣିକି ରାଜ୍ୟରେ ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ମିଳିବ କୁଟୁମ୍ବ ପେନସନ୍ ଯୋଜନାରେ ଭତ୍ତା। ଖୁବଶୀଘ୍ର ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରିବେ। ଏନେଇ ଯଥାଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ। ଆଜି ଆୟୋଜିତ ହୋଇଥିବା ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ କ୍ରାନ୍ତି ଦିବସ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଗଷ୍ଟ ୯ ତାରିଖ ଅର୍ଥାତ ଆଜି ହେଉଛି ଭାରତ ଛାଡ଼ ଆନ୍ଦୋଳନ ଦିବସ। ଆଜିର ଦିନକୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏହାସହ ମୁଖ୍ୟମନ୍ତ୍ରୀ ମଧ୍ୟ କ୍ରାନ୍ତି ଦିବସରେ ନିଜର ‘ଏକ୍ସ’ ହାଣ୍ଡେଲ୍ରେ ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇଛନ୍ତି ।