ଶ୍ରାବଣରେ ଶୁଖିଲା ପଡ଼ିଛି ଜମି; ଡାକିଲାଣି ମରୁଡି ସ୍ଥିତି।

ବଣାଇ, ୨୩/୦୭: ଆଷାଢ଼ ସରି ଶ୍ରାବଣ ପହଞ୍ଚିଲା କିନ୍ତୁ ବର୍ଷାର ଦେଖା ନାହିଁ | ଯାହା ଫଳରେ ଧାନ ବୁଣା କାମ ଆରମ୍ଭ ହୋଇ ପାରିନାହିଁ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଇ ବସିଛି କେବେ ବର୍ଷା ହେବ ଚାଷୀ ଚାଷ କାମ ଆରମ୍ଭ କରିବ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ବର୍ଷାର ଘୋର ଅଭାବ ଯୋଗୁଁ ଚାଷ କାମ ଆଗେଇ ପାରୁ ନାହିଁ। ଜୁନରେ ଗ୍ରୀଷ୍ମ ଲହରୀ ଏମିତି ଚାଲିଲା ଯେ ମୌସୁମୀ ବିଳମ୍ବରେ ଆସିଲା। ତେବେ ଜୁନ ମାସ ବେଳକୁ ଲଘୁଚାପ ବର୍ଷା ଆସ୍ଵସ୍ଥି ଆଣିଲା କିନ୍ତୁ ବର୍ଷାର ପରିମାଣ ଏତେ କମ ଥିଲା ଯେ, ଲୋକେ ଜମିରେ ହଳ ମଧ୍ୟ କରି ପାରିଲେ ନାହିଁ। ଚାଷୀ ବୁଣା କାମ ଆରମ୍ଭ କରିବା ବେଳକୁ ବର୍ଷା ଗାଏବ । ବର୍ଷା ବଦଳରେ ହେଉଛି ଏବେ ଟାଏଁ ଟାଏଁ ଖରା। ଜମିରେ ଯେତିକି ଜଳୀୟ ଅଂଶ ଥିଲା ଉତପ୍ତ ଖରା ଶୋଷି ନେଲଣି । କିଛି ଦିନ ହେବ ବର୍ଷା ପାଗ ରହିଥିଲେ ମଧ୍ୟ ସେମିତି ବର୍ଷା ହେଉନାହିଁ ଫଳରେ ବର୍ଷାକୁ ଆଁ କରି ଚାହିଁ ରହିଛି ଚାଷୀ, କେବେ ବର୍ଷା ଆସିବ ଚାଷ କାମ ଆଗେଇବ। କେବଳ ଜଳ ସେଚିତ ଜମିକୁ ଛାଡି ଦେଲେ ଅନ୍ୟ ଅଞ୍ଚଳରେ ଗଜା ମରୁଡି ନିଶ୍ଚିତ। ଅଧିକାଂଶ ମଧ୍ୟମ କିସମ ଓ ଢ଼ିପ ଜମିରେ ବୁଣା କାମ ଆରମ୍ଭ ହୋଇ ପାରିନାହିଁ।

ଖାଲୁଆ ଜମିରେ ଗଜା ମରୁଡି ହେଲାଣି। ବଣେଇ ଉପଖଣ୍ଡରେ ଥିବା ଚାରୋଟି ଯାକ ବ୍ଲକରେ ବର୍ଷାର ଘୋର ଅଭାବ ଥିବାବେଳେ ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି। ଚଳିତ ମାସ ପ୍ରଥମାର୍ଦ୍ଧ ସୁଦ୍ଧା ଭଲ ବର୍ଷା ଟିଏ ହୋଇ ପାରିନାହିଁ। ଏଭଳି ସ୍ଥିତିରେ ଦ୍ଵିତୀୟାଦ୍ଧରେ ଭଲ ବର୍ଷା ନହେଲେ ଆଗକୁ ସ୍ଥିତି ମରୁଡି ଆଡକୁ ଯାଇପାରେ। କୋଟି କୋଟି ଟଙ୍କାରେ ରୁକୁଡ଼ା ଜଳ ସେଚନ ପ୍ରକଳ୍ପ ତିଆରି ହୋଇ କେନାଲ ତିଆରି ହେଲା କିନ୍ତୁ କେନାଲରେ ଆସୁ ନାହିଁ ପାଣି ଶୁଖିଲା ପଡିଛି କେନାଲ । ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କାରେ ତିଆରି ହେଉଚି ବିଭିନ୍ନ ପ୍ରକଳ୍ପ କିନ୍ତୁ ସବୁ ଯୋଜନା ଫେଲ୍ ମାରୁଥିବା ଭଳି ସ୍ଥିତି ଦେଖା ଦେଇଛି। ଏପଟେ ଚାଷୀ ଋଣ କରଜ କରି ଧାନ ବିହନ କିଣି ତଳି ପକାଇଥିବା ବେଳେ ଯଦି ଆଗକୁ ଭଲ ବର୍ଷା ନହୁଏ ଗଜା ମରୁଡି ସ୍ଥିତି ସ୍ଵାଭାବିକ ବୋଲି କହିଛି ଚାଷୀ। ଖାଲୁଆ ଜମିରେ ମେସିନ ସାହାଯ୍ୟରେ ପାଣି ଉଠାଇ କିଛି ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ କିରୋସିନ ମଧ୍ୟ ମିଳୁନଥିବା କହିଛି ଚାଷୀ |

Leave a Reply

Your email address will not be published. Required fields are marked *