ଚଳିତ ବର୍ଷ ଫ୍ରାନ୍ସ ର ରାଜଧାନୀ ପ୍ୟାରିସ୍ ଠାରେ ଜାରି ରହିଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ପ୍ରତିଦିନ ଭିନ୍ନ ଭିନ୍ନ ଦେଶର ଖେଳାଳି ମାନେ ବିଭିନ୍ନ ବର୍ଗରେ ନିଜ ନିଜର ଦମ୍ଦାର ପ୍ରଦର୍ଶନ କରୁଛନ୍ତି, ଆଉ ଜିତୁଛନ୍ତି ଅନେକ ପଦକ ପରେ ପଦକ । ବର୍ତ୍ତମାନ ଏହି ଅଲିମ୍ପିକ୍ସରେ ଖେଳାଳି ମାନଙ୍କୁ ମିଳୁଥିବା ମେଡାଲ ଗୁଡିକର କ୍ୱାଲିଟିକୁ ନେଇ ଏବେ ପ୍ରଶ୍ନ ଉଠିଛି। ମିଳିଥିବା ମେଡାଲ ଟି ସପ୍ତାହକ ମଧ୍ୟରେ ଏହାର ରଙ୍ଗ ବଦଳି ଯାଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଆମେରିକାର ଆଥଲେଟ୍ ନାଇଜା ହୁଷ୍ଟନ୍। ସେ ଚଳିତ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ତେବେ ତାଙ୍କୁ ମିଳିଥିବା ଏହି ବ୍ରୋଞ୍ଜ ମେଡାଲ ସପ୍ତାହକ ମଧ୍ୟରେ ରଙ୍ଗହୀନ ହେବା ସହ ନଷ୍ଟ ମଧ୍ୟ ହୋଇଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଇନଷ୍ଟାଗ୍ରାମରେ ଗୁରୁବାର ଦିନ ସ୍କେଟ୍ ବୋର୍ଡ୍ ଖେଳାଳି ନାଇଜା ତାଙ୍କର ଖରାପ ହୋଇଯାଇଥିବା ବ୍ରୋଞ୍ଜ ପଦକର ଏକ ଫଟୋ ସେୟାର କରିଛନ୍ତି। ଏଥିସହ ଅଲମ୍ପିକ୍ସ ରେ ଦିଆଯାଉଥିବା ପଦକର କ୍ୱାଲିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେ , ‘ଯେତେବେଳେ ପଦକଗୁଡିକ ପୂରାପରି ନୂଆ ଥାଏ ସେତେବେଳେ ଏହା ସମସ୍ତଙ୍କୁ ଭଲ ଦେଖାଯାଏ। କିନ୍ତୁ ଏଥିରେ ଝାଳ ଲାଗି ଯିବା ଏବଂ ଏହାକୁ ସାଙ୍ଗ ସାଥୀମାନେ ଛୁଇଁବାର ମାତ୍ର ଏକ ସପ୍ତାହ ମଧ୍ୟରେ ଏହାର ଅସଲ କ୍ୱାଲିଟି ସମସ୍ତଙ୍କ ସାମ୍ନାକୁ ଆସେ।’ ହଷ୍ଟନ୍ ସେୟାର କରିଥିବା ଭିଡିଓରେ ମେଡାଲର ଉଭୟ ପାର୍ଶ୍ୱର ରଙ୍ଗ ବଦଳି ଯାଇଥିବା ସହ ମେଡାଲ ଟି ନଷ୍ଟ ହୋଇଯାଇଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି।