ପ୍ୟାରିସ, ୦୬/୦୮: ଆଜି ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପଦକ ଏକ ବଡ଼ ଆଶା ରଖିଛି । ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ରାଉଣ୍ଡକୁ ଓହ୍ଲାଇବେ ଭାରତର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଏବଂ ଓଡ଼ିଆ ଆଥଲେଟ୍ କିଶୋର ଜେନା। ଚଳିତ ଥର ଅଲିମ୍ପିକ୍ସରେ ପଦକର ପ୍ରବଳ ଦାବିଦାର ଅଛନ୍ତି ନୀରଜ ଚୋପ୍ରା। ଆଜି ଦିନ ପ୍ରାୟ ୩ଟା ୨୦ ମିନିଟରେ ଗ୍ରୁପ୍-ବି କ୍ୱାଲିଫିକେସନ୍ ରାଉଣ୍ଡରେ ମୈଦନାକୁ ଓହ୍ଲାଇବେ ନୀରଜ ଚୋପ୍ରା। ଆଜିର ଏହି ମ୍ୟଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ଜାଭଲିନ୍ ଥ୍ରୋରେ ନୀରଜ ଚୋପ୍ରା ଏବଂ ପାକିସ୍ତାନର ଚ୍ୟାଲେଞ୍ଜର ଅସରଦ୍ ନାଦିମଙ୍କ ମଧ୍ୟରେ ଏହି କଡା ମୁକାବିଲା ଅନୁଷ୍ଠିତ ହେବ। ନୀରଜ ଚୋପ୍ରା ୨୦୨୨ରେ ଡାଇମଣ୍ଡ ଲିଗ୍ ଏବଂ ୨୦୨୩ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଆନ୍ତର୍ଜାତିକ ସ୍ତରରେ ଗର୍ବିତ କରିଥିଲେ। ତେବେ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ପାଖରେ ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି।