ଭୁବନେଶ୍ୱର ୧୬/୦୭: ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ | ଗତ ରବିବାର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ବର୍ତମାନ ଲଘୁଚାପର ରୂପ ନେଇଛି | ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷାର ପୂର୍ବାନୁମାନ କରାଯାଇଛି | ସେପଟେ ଆସନ୍ତା ୧୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି |
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି ଯେ, ଓଡ଼ିଶା ସଂଲଗ୍ନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ପୂର୍ବ-ପଶ୍ଚିମ ଆଡ଼କୁ ବିସ୍ତୃତ ହେବ | ଏହା ଓଡ଼ିଶାରୁ ମହାରାଷ୍ଟ୍ର ଯାଏ ଲମ୍ବିବ | ୧୮ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ | ୧୯ରେ ଏହା ଲଘୁଚାପରେ ପରିଣତ ହେବ | ଏହା ପ୍ରଭାବରେ ୨୧ ଯାଏ ବର୍ଷା ହେବ | ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ | ଏଠାରେ ମୋଟ ୧୨୦ରୁ ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ | ଏଥିସହ ବିଜୁଳି ଓ ଘଡ଼ଘଡ଼ି ନେଇ ସତର୍କତା ଜାରି କରାଯାଇଛି | ଖୋର୍ଦ୍ଧା, ପୁରୀ, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଅପେକ୍ଷାକୃତ କମ୍ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି | ତେବେ ଆଜି ନବରଂଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |
ଅପରପକ୍ଷେ ଚଳିତ ବର୍ଷ ବର୍ଷା ଋତୁରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି | ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷା ପରିମାଣ | ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ | ଚାଷୀଙ୍କୁ ପରାମର୍ଶ ଦେଇ ପ୍ରଫେସର ପଶୁପାଳକ କହିଛନ୍ତି, ଆଗକୁ ବର୍ଷା ଥିବାରୁ ତଳିକୁ ୧୪ ଦିନ ବିତିଥିଲେ ରୋଇପାରିବେ | ସିଧା ବୁଣା ଧାନ ୨୦ଦିନର ହୋଇଥିଲେ ବେଉଷଣ କରନ୍ତୁ | ମୂଳ ସାର ସହିତ ଫସଫରସ୍ ଓ ପୋଟାସ ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି | ଡିଏପି ପକାଇଲେ ପୋଟାସ ସାର ମିଶାଇ ପକାନ୍ତୁ |