ଭୁବନେଶ୍ୱର, ୧/୦୮: ଭିଜୁଛି ଓଡିଶା | ରାଜ୍ୟରେ ଗୋଟେ ପରେ ଗୋଟେ ଆସୁଛି ଲଘୁଚାପ | ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ଲାଗି ରହିଛି ବର୍ଷା | ଆଜି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର | ଏହା ସହିତ ୨୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି |
ଅନୁଗୋଳ, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ | ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି | ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି | ଶୁକ୍ରବାର ସୁଦ୍ଧା ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ | ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଛତିଶଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏ ସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଆଗକୁ ବର୍ଷା ସମ୍ଭାବନା ଥିବା ଜିଲ୍ଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ନିର୍ଦ୍ଦେଶ ଦେଇଛନ୍ତି |