କୋଲକାତା : ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ନୂଆ ସସ୍ପେନ୍ସ । ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ନିଜ ଓକିଲ ପାଖରେ ଦେଇଥିବା ବୟାନ ସମ୍ପୂର୍ଣ ଘଟଣାର ମୋଡ ବଦଳାଇ ଦେଇଛି। ଅଭିଯୁକ୍ତ ସଞ୍ଜୟ କହିଛିଯେ, ଘଟଣା ଦିନ ଅର୍ଥାତ ୯ ତାରିଖ ରାତିରେ ମୁଁ ଆରଜି କର ମେଡିକାଲର ତୃତୀୟ ମହଲାରେ ଥିବା ସେମିନାର୍ ହଲକୁ ଯାଇଥିଲି। କିନ୍ତୁ ମୁଁ ସେଠାରେ ଯାଇ ପହଞ୍ଚିବା ବେଳକୁ ସେଠି ଜଣେ ଯୁବତୀ ପୂର୍ବରୁ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ । ଯୁବତୀ ଜଣଙ୍କୁ ଏଭଳି ଅବସ୍ଥାରେ ଦେଖି ମୁଁ ପ୍ରଥମେ ଡରି ଯାଇଥିଲି। ଏହାପରେ ମୁଁ ସେ ସ୍ଥାନ ଛାଡି ତୁରନ୍ତ ସେଠାରୁ ପଳେଇ ଆସିଥିଲି । ତେଣୁ ଏହି ଘଟଣାରେ ମୋର କୌଣସି ପ୍ରକାର ସମ୍ପୃକ୍ତି ନଥିବା ସହ ମୁଁ ନିର୍ଦ୍ଦୋଷ ବୋଲି କହିଥିବା ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ତେବେ ସଞ୍ଜୟ ଦେଇଥିବା ଏଭଳି ଚାଞ୍ଚଲ୍ୟକର ବୟାନ ପରେ ଏବେ ଏଠି ପ୍ରଶ୍ନ ଉଠୁଛି ଯେ ସେ ବାସ୍ତବରେ ସତ କହୁଛି ନା ଆଉ କିଛି ଲୁଚାଉଛି। ଯଦି ସଞ୍ଜୟ ସତ କହୁଥାଏ ତାହାଲେ ଏହି ଘଟଣା ପଛରେ ଆଉ କିଏ କିଏ ରହିଛନ୍ତି ? ଅଭୟାକାଣ୍ଡ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି କି ? ନା ଅଭୟାଙ୍କ ହତ୍ୟା ପଛରେ ଆଉ କିଏ ମାଷ୍ଟର ମାଇଣ୍ଡ ଅଛନ୍ତି ? ଯଦି ଏହି ହତ୍ୟାକାଣ୍ଡ ପଛରେ ଆଉ କାହାର ହାତ ଅଛି ତେବେ ସେମାନଙ୍କ ନିକଟରେ ସିବିଆଇ କେମିତି ପହଞ୍ଚିବ ତାହା ଦେଖିବାକୁ ଏବେ ବାକି ରହିଲା । ଅନ୍ୟପଟେ ସଞ୍ଜୟର ପଲିଗ୍ରାଫ୍ ରିପୋର୍ଟକୁ ଅପେକ୍ଷା ରହିଛି । ଏହି ରିପୋର୍ଟ ଆସିବା ପରେ ସିବିଆଇର ତଦନ୍ତ କେଉଁଆଡେ ଯାଉଛି ଏବଂ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ମିଳୁଛି ନା ନାଇଁ ତା’ଉପରେ ବର୍ତ୍ତମାନ ସମଗ୍ର ଦେଶର ନଜର ରହିଛି ।