ସୁଟର୍‌ଙ୍କୁ କିଭଳି ପ୍ରେରଣା ଦିଆଯାଉଥିଲା ହେଲା ଖୁଲାସା

ଧୀରେ ଧୀରେ ଖୋଲୁଛି ବଲିଉଡର ଭାଇଜାନଙ୍କ ଉପରେ ହୋଇଥିବା ଗୁଳିଚାଳନା ର ରହସ୍ୟ | ଗତ ଏପ୍ରିଲ ମାସରେ ହୋଇଥିବା ବଲିଉଡ ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ଘରେ ଏକାଧିକ ଗୁଳି ଚାଳନା ହେବା ପରେ ଏହାକୁ ନେଇ ଏବେ ନୂଆ ନୂଆ ତଥ୍ୟର ଖୁଲାସା ହେଉଛି। ସଲମାନ ଖାନଙ୍କ ବାସଭବନ ଉପରେ ଗୁଳି ଚଳାଇଥିବା ସୁଟରମାନଙ୍କୁ କେଉଁମାନେ ଏବଂ କିପରି ଗୁଳିଚଳାଇବାକୁ ପ୍ରେରଣା ଦେଉଥିଲେ ତାହା ଏବେ ହସ୍ତଗତ ହେବାରେ ଲାଗିଛି | ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନମୋଲ ବିଷ୍ନୋଇ ହିଁ ତାଙ୍କୁ କେମିତି ଗୁଳି ଚଲେଇବ ସେ ବିଷୟରେ ତାଲିମ ଦେଇଥିଲେ ବୋଲି ଜଣା ପଡିଛି | ଦୁଇ ସୁଟର ଭିକି ଗୁପ୍ତା ଏବଂ ସାଗର ପାଲଙ୍କୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନମୋଲ ବିଷ୍ନୋଇ ଦୀର୍ଘ ୯ ମିନିଟ୍‌ର ‘ପ୍ରେରଣା ଦାୟକ’ ଭାଷଣ ଦେଇଥିଲେ। ଅନମୋଲ ବିଷ୍ନୋଇ ସେମାନଙ୍କୁ କହିଥିଲେ ତୁମେ ଯେତେବେଳେ ସଲମାନଙ୍କ ଉପରକୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରିବ ସେତେଵେଳେ ତୁମେ ଇତିହାସ ସୃଷ୍ଟି କରିବ | ଗତ ଏପ୍ରିଲ ୧୪ ତାରିଖ ଦିନ ସକାଳେ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ମୋଟରସାଇକେଲ ଆସି ସଲମାନ ଖାନଙ୍କ ଘର ବାହାରେ ଏକାଧିକ ଗୁଳି ଚଳାଇଥିଲେ ୨ ସୁଟର ଭିକି ଗୁପ୍ତା ଏବଂ ସାଗର ପାଲ | ବର୍ତ୍ତମାନ ଏକ ଅଡିଓ ନୋଟ୍ ମାଧ୍ୟମରେ ଦିଆଯାଇଥିବା ଅଭିଭାଷଣରେ ଅନମୋଲ ୨ ସୁଟରଙ୍କୁ ଅତ୍ୟନ୍ତ ‘ପ୍ରେରଣା ଦାୟକ’ ଭାଷଣ ଦେଉଥିବା ଶୁଣିବାକୁ ମିଳିଛି। ବର୍ତ୍ତମାନ ଏହି ମାମଲାରେ ଲରେନ୍ସ ନ୍ୟାୟିକ ହେପାଜତରେ ଅଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଦାଖଲ ହୋଇଥିବା ଦୀର୍ଘ ୧,୭୩୫ ପୃଷ୍ଠାର ଚାର୍ଜସିଟ୍ ଅନୁଯାୟୀ ସେ ସୁଟରମାନଙ୍କୁ କହୁଥିବାର ଶୁଣିବାକୁ ମିଳୁଛି ଯେ, “ଏହା ଏକ ବହୁତ ଭଲ କାମ,କାମ ସରିବା ପରେ ତୁମେ ଦୁଇଜଣ ଇତିହାସ ରଚିବ।’’ ଅନମୋଲ ସୁଟର ଗୁପ୍ତା ଏବଂ ପାଲଙ୍କୁ ଉତ୍ସାହିତ କରି କହିଥିଲେ ଯେ ସେମାନେ ଏକ “ଧାର୍ମିକ କାର୍ଯ୍ୟ” କରିବେ। ସେ କହିଛନ୍ତି, “ଏହି କାମ କରିବା ସମୟରେ ତୁମେ ଆଦୌ ଭୟ କରିବ ନାହିଁ। ଏହି କାମ କରିବା ଅର୍ଥ ସମାଜରେ ପରିବର୍ତ୍ତନ ଆଣିବା।”

Leave a Reply

Your email address will not be published. Required fields are marked *