ରେକର୍ଡ ପରେ ରେକର୍ଡ କରୁଛି ଭାରତ

ପ୍ୟାରିସ : ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ଖାତାରେ ବଢୁଛି ପଦକ ସଂଖ୍ୟା। ସଟ ପୁଟ୍ (F46) ଇଭେଣ୍ଟରେ ଭାରତକୁ ମିଳିଛି ଆଉ ଏକ ପଦକ। ବିଶ୍ୱ ଚାମ୍ପିଅନ୍ ସଚିନ ଖିଲାରୀ ରୌପ୍ୟ ପଦକ ଜିତି ଏହି ସଫଳତା ଭାରତକୁ ଭେଟି ଦେଇଛନ୍ତି। ଏଥିସହିତ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଛି। ଗତକାଲି ଇଭେଣ୍ଟର ଷଷ୍ଠ ଦିନରେ ଭାରତକୁ ମିଳିଥିଲା ଆଉ ପାଞ୍ଚଟି ପଦକ। ଷଷ୍ଠ ଦିନରେ ଜାଭଲିନ୍‌, ହାଇଜମ୍ପ ଓ ୪୦୦ ମିଟର ଦୌଡରୁ ଭାରତକୁ ୨ଟି ରୌପ୍ୟ ଓ ୩ଟି କାଂସ୍ୟ ମିଳିଥିଲା। ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ କାଂସ୍ୟ ଜିତିଥିଲେ।ଏହାପରେ ହାଇ ଜମ୍ପରେ ଶରଦ କୁପର ୧.୮୮ ମିଟର ଡେଇଁ ଦ୍ୱିତୀୟରେ ରହି ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ମାରିୟାପାନ୍ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେପଟେ ଜାଭଲିନ୍‌ରେ ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ମଧ୍ୟ ବ୍ରୋଞ୍ଜ ପଦକ ହାତେଇଥିଲେ। ଏହି ପଦକ ସହିତ ଟୋକିଓ ୨୦୨୦ ପାରାଲିମ୍ପିକ ଗେମ୍ସ ଇତିହାସରେ ଭାରତ ପ୍ରଥମ ଥର ପାଇଁ ୨୦ ପଦକ ହାସଲ କରିବାର ସୁଯୋଗ ପାଇଥିଲା। ଇଭେଣ୍ଟକୁ ଆଉ ୪ ଦିନ ବାକି ଥିବାରୁ ଭାରତର ଆଉ ପଦକ ସଂଖ୍ୟା ବଢିବା ନେଇ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *