ଆଉ ମନଇଛା ଚଲାଇପାରିବେନି ଇନଷ୍ଟାଗ୍ରାମ !

ଆଜିକାଲି ଯୁବପିଢ଼ି ମାନେ ସୋସିଆଲ ମିଡିଆରେ ବେଶ ସକ୍ରିୟ। ଆଉ ଏବେ ସୋସିଆଲ ମିଡିଆ ଯୁଗରେ ଇନଷ୍ଟାଗ୍ରାମର ଆଦୃତି ଦିନକୁ ଦିନ ବଢ଼ିଚାଲିଛି। ଏକ ରିପୋର୍ଟ ଅନୁସାରେ ବିଶ୍ୱ ଜନସଂଖ୍ୟାର ୨୫% ଲୋକ ଅର୍ଥାତ ୨୦୦ କୋଟି ଲୋକ ପ୍ରତି ମାସରେ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି। ସବୁଠୁ ବଡ଼ କଥା ହେଉଛି ବ୍ୟବହାରକାରୀଙ୍କ ମଧ୍ୟରେ ସର୍ବାଧିକ କିଶୋର ଏବଂ ଯୁବକ ଅଛନ୍ତି। ଅନେକ ସମୟରେ ପିଲାମାନେ ବିବାଦୀୟ କଣ୍ଟେଣ୍ଟ ଦେଖୁଛନ୍ତି ଏବଂ ସେଥିରୁ ନକାରାତ୍ମକ ଶିକ୍ଷା ଆହରଣ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଚିନ୍ତା ପ୍ରକଟ ହେବା ପରେ ଏବେ ଇନଷ୍ଟାଗ୍ରାମ ଟିନ୍ ଏଜର୍ସ ଅର୍ଥାତ୍ କିଶୋର ବର୍ଗର ପିଲାମାନଙ୍କ ପାଇଁ କିଛି କଟକଣା ଆଣିବାକୁ ଯାଉଛି। ଆସନ୍ତା ଦୁଇ ମାସ ମଧ୍ୟରେ ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଟିନ୍ ଆକାଉଣ୍ଟ ଆରମ୍ଭ ହେବ। ଭାରତ ସମେତ ଅନ୍ୟ ଦେଶରେ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଏହା ଆରମ୍ଭ ହେବ। ୧୬ ବର୍ଷରୁ କମ୍ ବୟସର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏହି ଆକାଉଣ୍ଟ ଦିଆଯିବ। ଏଥିରେ କିଛି ନିର୍ଦ୍ଦିଷ୍ଟ ଫିଚର୍ ରହିବ।


ପ୍ରଥମତଃ ଟିନ୍ ଆକାଉଣ୍ଟ୍ ଏକ ଡିଫଲ୍ଟ ପ୍ରାଇଭେଟ ଆକାଉଣ୍ଟ୍ ଭାବେ ରହିବ। ଏହି ଆକାଉଣ୍ଟରେ କିଛି ନିର୍ଦ୍ଦିଷ୍ଟ କଟକଣା ରହିବ, ଯେପରିକି ସେମାନେ ଫଲୋ କରୁନଥିବା ଆକାଉଣ୍ଟର କଣ୍ଟେଣ୍ଟ ସେମାନଙ୍କ ପାଖକୁ ଆସିବ ନାହିଁ, କି ସେମାନେ ଦେଖିପାରିବେ ବି ନାହିଁ।

ଦ୍ୱିତୀୟରେ କିଶୋରମାନଙ୍କୁ ‘ଷ୍ଟ୍ରିକ୍ଟ ମେସେଜିଂ ସେଟିଂ’ରେ ରଖାଯିବ। ଏହି ଫିଚର୍ସର ଅର୍ଥ- କିଶୋରମାନେ ବ୍ୟବହାର କରୁଥିବା ଆକାଉଣ୍ଟକୁ ଅନ୍ୟ କେହି ମେସେଜ୍ କରିପାରିବେ ନାହିଁ। ସେମାନେ ଫଲୋ କରୁନଥିବା ବ୍ୟକ୍ତି ମଧ୍ୟ ମେସେଜ୍ କରିପାରିବେ ନାହିଁ।
ତୃତୀୟରେ ଟିନ୍ ଆକାଉଣ୍ଟରେ ସ୍ୱୟଂଚାଳିତ ଭାବରେ ସେନସିଟିଭ୍ କଣ୍ଟେଣ୍ଟକୁ ହଟାଇ ଦିଆଯିବ। ସେମାନେ ସେନସିଟିଭ୍ କଣ୍ଟେଣ୍ଟ ବା ସମ୍ବେଦନଶୀଳ ବିଷୟବସ୍ତୁ ଦେଖିପାରିବେ ନାହିଁ।

ଚତୁର୍ଥରେ ଟିନ୍ ଆକାଉଣ୍ଟରେ ଟ୍ୟାଗ୍ ଏବଂ ମେନସନ ଫିଚର୍ସକୁ ସୀମିତ କରାଯିବ। ସେମାନେ ଫଲୋ କରୁଥିବା ବ୍ୟକ୍ତି ତାଙ୍କୁ ଟ୍ୟାଗ୍ କିମ୍ବା ମେନ୍ସନ କରିପାରିବେ।

ସେହିଭଳି ଟାଇମ୍ ଲିମିଟ୍ ରିମାଇଣ୍ଡର ଫିଚର୍ସର ଆଉ ଏକ ଭଲ ଦିଗ ହେଉଛି କି, ଦିନକୁ ଯଦି ଜଣେ ଟିନ୍ ଆକାଉଣ୍ଟ ବ୍ୟବହାରକାରୀ ଘଣ୍ଟାଏରୁ ଅଧିକ ସମୟ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି, ତେବେ ତାଙ୍କୁ ଆକାଉଣ୍ଟ ବନ୍ଦ କରିବା ପାଇଁ ଆପେ ଆପେ ଏକ ନୋଟିଫକେସନ ଯିବ।

ଏହାସହ ସ୍ଲିପିଂ ମୋଡ୍ ସିଷ୍ଟମ୍ ମଧ୍ୟ ରହିବ। ରାତି ୧୦ଟାରୁ ସକାଳ ୭ଟା ମଧ୍ୟରେ ଏହି ସିଷ୍ଟମ୍ ଟର୍ନ୍ ଅନ୍ ହେବ। ଫଳରେ ରାତିରେ ନୋଟିଫିକେସନ ମ୍ୟୁଟ୍ ହୋଇଯିବା ସହ ଡାଇରେକ୍ଟ ମେସେଜକୁ ଅଟୋମେଟିକ୍ ଜବାବ କରିବ।

Leave a Reply

Your email address will not be published. Required fields are marked *