ନୂଆଦିଲ୍ଲୀ : ଇସ୍ରୋ କଲା ବଡ ଘୋଷଣା । ଚନ୍ଦ୍ରଯାନ-୩ ର ସଫଳତା ପରେ ଆଉ ପାଦେ ଆଗେଇଲା ଇସ୍ରୋ । ପ୍ରଥମ ଶୁକ୍ର ମିଶନ୍ ପାଇଁ ତାରିଖ ଘୋଷଣା କଲା ଇସ୍ରୋ । ୨୦୨୮ ମାର୍ଚ୍ଚ ୨୯ରେ ଭେନସ୍ ଅର୍ବିଟର୍ ମିଶନ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ। ଏହାକୁ ଶୁକ୍ରଯାନ-୧ ବୋଲି କୁହାଯାଉଛି । ବାହୁବଳୀ ରକେଟ୍ LVM-3ରେ ଶୁକ୍ରଯାନ-୧ ଉତକ୍ଷେପଣ କରାଯିବ। ଏହା ଶୁକ୍ର ଗ୍ରହର କକ୍ଷପଥରେ ପହଞ୍ଚିବା ପାଇଁ ପ୍ରାୟ ୧୧୨ ଦିନ ଲାଗିବ । ୨୦୨୮ ଜୁଲାଇ ୧୯ରେ ଏହା ଶୁକ୍ର କକ୍ଷପଥରେ ପହଞ୍ଚିବ ବୋଲି ଯୋଜନା ରହିଛି । ଶୁକ୍ରଯାନ-୧ ରେ ଅତ୍ୟାଧୁନିକ ଅଲଟ୍ରାଭାଓଲେଟ୍ କ୍ୟାମେରା, ରାଡାର୍ ଓ ସେନ୍ସର ଆଦି ସମେତ ମୋଟ ୧୯ଟି ପେଲୋଡ୍ ବା ଯନ୍ତ୍ରାଂଶ ଲାଗିବ। ଏହା ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଦେଶ ଓ ଭୌଗଳିକ ସ୍ଥିତିର ଫଟୋ ନେବା ସହିତ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ ଶୁକ୍ରଯାନ। ଏହି ମିଶନ ପାଇଁ ପାଖାପାଖି ୧୨ଶହ ୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।