ବିହାର : ବିହାରରେ ଜେଡିୟୁକୁ ଲାଗିଲା ବଡ ଝଟକା । ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ କୁହାଯାଉଥିବା କେସି ତ୍ୟାଗୀ। ବ୍ୟକ୍ତିଗତ କାରଣ ପାଇଁ ସେ ଦଳର ମୁଖପାତ୍ର ପଦ ଛାଡିଥିବା ନେଇ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। କେସି ତ୍ୟାଗୀଙ୍କ ଇସ୍ତଫା ପରେ ରାଜୀବ ରଞ୍ଜନଙ୍କୁ ଦଳର ନୂତନ ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛନ୍ତି ନୀତୀଶ କୁମାର। ଚଳିତ ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ଦଳ ଇଣ୍ଡିଆ ଆଲିଆନ୍ସରୁ ଅଲଗା ହେବା ସହ ଏନଡିଏ ରେ ସାମିଲ ହେବା ସମୟରେ କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ବିପୁଳ ମାତ୍ରାରେ ସମର୍ଥନ କରିଥିଲେ। କିନ୍ତୁ ବର୍ତ୍ତମାନ ଲୋକସଭା ନିର୍ବାଚନ ଫଳାଫଳର ମାତ୍ର ୩ ମାସ ପରେ କେସି ତ୍ୟାଗୀଙ୍କ ଇସ୍ତଫା ଏବେ ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଜେଡିୟୁରେ ଏବେ କିଛି ଠିକ୍ ଚାଲି ନାହିଁ ଏବଂ ଦଳରେ ଫାଟ ସୃଷ୍ଟି ହୋଇଥିବା ନେଇ ରାଜ୍ୟର ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି।।