ଭୟଙ୍କର ପ୍ରଳୟରେ ଚାଲିଗଲା ଅନେକ ଜୀବନ

ସମଗ୍ର ଭାରତରେ ଏବେ ଜାରିରହିଛି ପ୍ରକୃତିର ତାଣ୍ଡବ ଲୀଳା। ବର୍ତ୍ତମାନ ଉତ୍ତର ଭାରତରେ ଦାଉ ସାଧିବାରେ ଲାଗିଛି ପ୍ରକୃତି। କେରଳ ଏବଂ ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ ପରେ ଏବେ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଜଳ ପ୍ରଳୟ ଭଳି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠାରେ ଡ୍ୟାମ୍‌ କାନ୍ଥ ଭୁଶୁଡି ପଡିଛି ତା ଆଉ କେଉଁଠି ଲୋକଙ୍କ ଘରଦ୍ୱାର ବର୍ଷାରେ ଧୋଇ ହୋଇଯାଇଛି। ଏହି ଭୟଙ୍କର ଜଳ ପ୍ରଳୟରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଏବେ ନିଖୋଜ ଥିବା ସୂଚନା ମିଳିଛି। କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷା ଯୋଗୁଁ ଜଳ ପ୍ରଳୟ ସୃଷ୍ଟି ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି। ଏହି ଜଳ ପ୍ରଳୟରେ ରାମପୁର ସମେଜ ଗାଁରେ ୩୦ରୁ ଅଧିକ ଲୋକ ବର୍ତ୍ତମାନ ନିଖୋଜ ହୋଇ ଯାଇଛନ୍ତି। ଅନ୍ୟପଟେ କୁଲ୍ଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ଏବେ ସାମ୍ନାକୁ ଆସିଛି। ଏଥିରେ ମୋଟ ୬ ଜଣ ଆହତ ହୋଇଛନ୍ତି। ସମେଜ ଖେଡାରେ ଥିବା ହାଇଡ୍ରୋ ପ୍ରଜେକ୍ଟ ସାଇଟ୍‌ରେ ବର୍ଷା ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଏବେ ନିଖୋଜ ଅଛନ୍ତି। ସେହିପରି ମଣ୍ଡି ଅଞ୍ଚଳରେ ଦୁଇ ଜଣକ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ନିଖୋଜ ଅଛନ୍ତି। ସେହିପରି ରାମପୁର ଅଞ୍ଚଳରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବାଦଲ ଫଟା ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳର କ୍ଷୟକ୍ଷତି ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ କଥା ହୋଇଛନ୍ତି। ପ୍ରଭାବିତ ମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଅନ୍ୟପଟରେ ମଧ୍ୟ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ମଧ୍ୟ ୯ ଜଣଙ୍କର ମୃତ୍ୟୁ ଘଟିଛି । କେଦାରନାଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ୩୦ କିଲୋମିଟର ମନ୍ଦାକିନୀ ନଦୀର ବନ୍ୟା ପାଣିରେ ସମ୍ପୂର୍ଣ ଧୋଇ ହୋଇଯାଇଛି। ହଠାତ ବନ୍ୟା ଆସିବା କାରଣରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଏଠାରେ ଫସି ରହିଛନ୍ତି। ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଏବେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ଏସଡିଆରଏଫ ନିୟୋଜିତ ହୋଇଛନ୍ତି। ଅନ୍ୟପଟେ ବର୍ତ୍ତମାନ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ଉତ୍ତରାଖଣ୍ଡ ସରକାର।

Leave a Reply

Your email address will not be published. Required fields are marked *