ଫୋକସ ବ୍ୟୁରୋ : ଆରପାରିରେ ଦୁନିଆର ସବୁଠୁ ବୟସ୍କା ବୃଦ୍ଧ ମହିଳା ମାରିଆ ବ୍ରାନ୍ୟାସ । ୧୧୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କର ପରିବାର ଲୋକେ ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି। ମାରିଆ ବ୍ରାନ୍ୟାସ ଆମେରିକାର ବଂଶୋଦ୍ଭବ ଥିଲେ କିନ୍ତୁ ସେ ସ୍ପେନରେ ରହୁଥିଲେ। ମୃତ୍ୟୁବେଳେ ସେ କୌଣସି ରୋଗରେ ପଡିନଥିଲେ କି ଅସୁସ୍ଥ ମଧ୍ୟ ହୋଇନଥିଲେ । ସବୁଠାରୁ ଫିଟ୍ ତଥା ସୁସ୍ଥ ଥିବା ମହିଳା ଭାବେ ସେ ବିଶ୍ୱରେ ବେଶ ପରିଚିତ ଥିଲେ । ଜାନୁଆରି ୨୦୨୩ ପରଠାରୁ ମାରିଆ ସବୁଠାରୁ ବିଶ୍ୱର ବୟସ୍କ ବ୍ୟକ୍ତି ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ ମଧ୍ୟ କରିଛନ୍ତି। ୧୯୦୭ ମାର୍ଚ୍ଚ ୪ରେ ଜନ୍ମଗ୍ରହଣ କରିଥିଲେ ମାରିଆ । ଆମେରିକାରେ ଜନ୍ମଗ୍ରହଣ କରିଥିବା ମାରିଆ ପରେ ଫ୍ରାନ୍ସ ଚାଲି ଆସିଥିଲେ । ଫ୍ରାନ୍ସ ରେ ଥିଲାବେଳେ ତାଙ୍କୁ ଦୁଇ ଦୁଇଟି ବିଶ୍ବଯୁଦ୍ଧର ସାମ୍ନା କରିବାକୁ ପଡିଥିଲା । ଦୁଇ ଦୁଇଟି ବିଶ୍ବଯୁଦ୍ଧର ମୂକସାକ୍ଷୀ ଥିଲେ ମାରିଆ। ବିଶ୍ବଯୁଦ୍ଧରୁ ବଞ୍ଚି ଯାଇଥିବା ମାରିଆ ପରେ ସ୍ପାନିଶ ସିଭିଲ ୱାରର ଭୟାବହତାକୁ ମଧ୍ୟ ସାମ୍ନା କରିଥିଲେ । ଏହାପରେ ସେ ମହାମାରୀ କୋଭିଡ ୧୯ ର ସାମ୍ନା କରିଥିଲେ ଏବଂ ସେହି ଭାଇରସର ରୋଗରେ ମଧ୍ୟ କିଛି ସପ୍ତାହ ପର୍ଯ୍ୟନ୍ତ ପୀଡିତ ଥିଲେ। ଏଥିରୁ ମଧ୍ୟ ଆରୋଗ୍ୟ ଲାଭ କରିଥିଲେ ମାରିଆ । ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ଖୁବ ଖୁସି ରହୁଥିଲେ । ଶେଷରେ ମାରିଆ ଯେମିତି ଚାହୁଁଥିଲେ ସେମିତି ତାଙ୍କର ମୃତ୍ୟୁ ଘଟିଛି । ବିନା କଷ୍ଟରେ, ବିନା ଯନ୍ତ୍ରଣାରେ ବିନା କୌଣସି ରୋଗରେ ସେ ଚିର ନିଦ୍ରାରେ ସବୁଦିନ ପାଇଁ ଶୋଇ ଯାଇଛନ୍ତି । ମାରିଆ କେବେ ବି କୌଣସି କାମକୁ ନେଇ ନିଜ ଉପରେ ପ୍ରେସର ଦିଅନ୍ତିନି । ଏବଂ ଟକ୍ସିକ ଲୋକଙ୍କ ଠାରୁ ସେ ସର୍ବଦା ଦୂରେଇ ରୁହନ୍ତି ବୋଲି ସେ କୁହନ୍ତି । ତେବେ ତାଙ୍କ ପରିବାରର ଅନେକ ସଦସ୍ୟ ୯୦ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚୁଥିବାରୁ ଏହା ପଛର କାରଣ ଜେନେଟିକ୍ ବୋଲି ମଧ୍ୟ ସେ କହିଥାନ୍ତି ।