ଚେନ୍ନାଇ : ଶେଷରେ ସତ ହେଲା ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନା। ବର୍ତ୍ତମାନ ତାମିଲନଡୁ ସରକାରର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବା ସହିତ ରୋଚକ ଦୃଶ୍ୟ ଦେଖିବେ ଜନତା । ମୁଖ୍ୟମନ୍ତ୍ରୀଙ୍କ ପୁଅ ହେବେ ଉପମୁଖ୍ୟମନ୍ତ୍ରୀ। ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି। ସେହିପରି ପୂର୍ବତନ ପରିବହନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ପୁଣିଥରେ କ୍ୟାବିନେଟରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବେ ମନି ଲଣ୍ଡରିଂ ମାମଲାରେ ସେ ଜାମିନ ପାଇଥିଲେ। ଏମ୍କେ ଷ୍ଟାଲିନ୍ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ। ଏହାପରେ ରାଜ୍ୟପାଳ ତାଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି। ଆଜି ଅପରାହ୍ଣରେ ଚେନ୍ନାଇ ରାଜଭବନରେ ଉଦୟନିଧି ଷ୍ଟାଲିନ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଉଦୟାନିଧି ଷ୍ଟାଲିନ ବର୍ତ୍ତମାନର ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ପୋର୍ଟଫୋଲିଓ ବ୍ୟତୀତ ଯୋଜନା ଏବଂ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ସହିତ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇଛି।