ବିରୋଧୀଙ୍କୁ ବନ୍ଧୁତ୍ୱର ହାତ ବଢ଼ାଇଲେ ମୋଦି

ସାଧାରଣ ନିର୍ବାଚନ ପରେ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଏହି ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ମାନଙ୍କୁ ଅପିଲ୍‌ କରିଛନ୍ତି । ସଂସଦର ଥିବା ଗରିମାକୁ ଅକ୍ଷୂଣ୍ଣ ରଖିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଜାନୁଆରୀରୁ ଯେଉଁମାନେ ଯାହା ପ୍ରତିଶ୍ରୁତି ଦେବା କଥା ସେମାନେ ଦେଇ ସାରିଛନ୍ତି । ଦେଶବାସୀ ମାନେ ମଧ୍ୟ ପ୍ରତିଶୃତିକୁ ଦେଖି ସେମାନଙ୍କର ରାୟ ମଧ୍ୟ ଦେଇ ସାରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦଳ ପାଇଁ ବହୁତ ପରସ୍ପର ସହିତ ଲଢ଼ିଲେ ବର୍ତ୍ତମାନ ସମୟ ଆସିଛି ଏକଜୁଟ୍ ହୋଇ ଦେଶ ପାଇଁ ଲଢ଼ିବା ବୋଲି ଆହ୍ୱାନ ଦେଇଛନ୍ତି ମୋଦି ।

୨୦୨୯ ଜାନୁଆରୀ ପର୍ଯ୍ୟନ୍ତ ଏକଜୁଟ ହୋଇ ସଂସଦୀୟ କ୍ଷେତ୍ର ପାଇଁ କାମ କହିବା ସହ ସଂସଦ ଦଳ ପାଇଁ ନୁହେଁ ବରଂ ଦେଶ ପାଇଁ ବୋଲି କହିଲେ ମୋଦି । ବିରୋଧୀମାନଙ୍କର ବିଚାର ଖରାପ ନୁହେଁ ବରଂ ସେମାନଙ୍କ ମନରେ ଥିବା ସମସ୍ତ ନକରାତ୍ମକ ଚିନ୍ତା ଖରାପ ବୋଲି ସେ କହିଛନ୍ତି । ସଂସଦରେ ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ ।ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ସରକାର ଏହି ସମୟରେ ମୋଟ ୬ଟି ବିଲ୍ ଆଗତ କରିବାର ସମ୍ଭାବନା ଥିବା ବେଳେ ୨୩ ତାରିଖରେ ବଜେଟ୍ ଉପସ୍ଥାପନ ହେବ । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି ପ୍ରଥମ ଦିନରେ ଗୃହରେ ଉପସ୍ଥାପନ ହେବ । ବଜେଟ୍ ଅଧିବେଶନ ପୂର୍ବରୁ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳ ମାନଙ୍କର ସହଯୋଗ ଲୋଡ଼ିଥିଲେ କେନ୍ଦ୍ର ସରକାର ।ସେହିପରି ଆଜି କଂଗ୍ରେସର ସଂସଦୀୟ ଦଳ ବୈଠକ ବସିବାକୁ ଥିବା ବେଳେ ଏହି ବୈଠକରେ ନିଟ୍ ଅନିୟମିତତା, ବେରୋଜଗାରୀ ଏବଂ ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ତେବେ ଏହାର ମୁକାବିଲା ପାଇଁ ଏନ୍‌ଡିଏର ନେତାମାନେ ମଧ୍ୟ ସଜବାଜ ହେଉଛନ୍ତି ।

Leave a Reply

Your email address will not be published. Required fields are marked *