ଭୁବନେଶ୍ୱର : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ଏହି ଅବସରେ ଆଜି ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାଖାପାଖି ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେଓଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡ଼ର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା। ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡ଼ିଏ ଲୋକାଭିମୁଖୀ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିବେ। ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ। ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ସବୁ ରାଜ୍ୟର ୫୪୯ ଜିଲ୍ଲା ଓ ୨୭୪୦ ବ୍ଲକରେ ବସବାସ କରୁଥିବା ୬୩ ହଜାର ଗାଁର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା। ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବେ।