ମୁମ୍ବାଇ : ପୁନରାବୃତ୍ତି ହେବ କି ୨୦୦୮ ନଭେମ୍ବର ୨୬ର ଭୟଙ୍କର ଆକ୍ରମଣ । ଆତଙ୍କବାଦୀଙ୍କ ନଜରରେ ଏବେ ମାୟାନଗରୀ। ଆଗକୁ ମୁମ୍ବାଇରେ ହୋଇପାରେ ବଡଧରଣର ଆତଙ୍କବାଦୀ ଆକ୍ରମଣ। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଫୁଲ ଆକ୍ସନମୁଡ୍କୁ ଆସିଛି ପୋଲିସ । ମୁମ୍ବାଇରେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯିବ ସହିତ ପ୍ରତ୍ୟେକ କୋଣ ଅନୁକୋଣରେ କଡ଼ା ପହରା ଦିଆଯାଇଛି। ସୁରକ୍ଷା ଏଜେନ୍ସିର ସତର୍କ ସୂଚନା ପରେ ମୁମ୍ବାଇର ଅନେକ ଧାର୍ମିକ ସ୍ଥାନ ତଥା ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଧାର୍ମିକ ସ୍ଥାନରେ “ମକ୍ ଡ୍ରିଲ୍” କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ସମସ୍ତ ଡିସିପିଙ୍କୁ ମଧ୍ୟ ନିଜ ନିଜ ଜୋନ୍ରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଶୁକ୍ରବାର ଦିନ ମୁମ୍ବାଇର ଜନଗହଳି ପୂର୍ଣ୍ଣ ଅଞ୍ଚଳ କ୍ରାଫର୍ଡ ମାର୍କେଟ ଅଞ୍ଚଳରେ ପୁଲିସ ମକ୍ ଡ୍ରିଲ୍ କରିଥିଲା। ଏଠାରେ ଦୁଇଟି ପ୍ରମୁଖ ଧାର୍ମିକ ସ୍ଥାନ ମଧ୍ୟ ଅଛି। ଜନସାଧାରଣ ମାନଙ୍କୁ ଆତଙ୍କବାଦୀ ଆକ୍ରମଣ ବିଷୟରେ ନ ଜଣାଇ ଆଗାମୀ ପର୍ବ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି ମୁମ୍ବାଇର ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ୍ କରାଯାଉଛି ବୋଲି ପୋଲିସ କହିଛି।