ଲଗାଣ ବର୍ଷା ହେତୁ ଶବ ବ୍ୟବଚ୍ଛେଦରେ ଅବହେଳା

  କଟକ୨୧/୦୭  ଶନିବାର ଲଗାଣ ବର୍ଷା ହେତୁ ମୃତଦେହ ଗୁଡିକ ସକାଳୁ ଭିଜୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି କି ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଗୋଟିଏ ବି ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥିଲା। ବ୍ୟବଚ୍ଛେଦ ପାଇଁ କର୍ମଚାରୀ ଟୋକନ କରିବାକୁ କହିବା ସହ ମୃତଦେହ ବାହାରେ ରଖି ପଳାଇଯାଇଥିଲେ। ମେଡିକାଲ କର୍ତ୍ତୃପକ୍ଷ ଏହି ସମସ୍ତ ଦୃଶ୍ୟ ଦେଖି ମଧ୍ୟ ମୁହଁ ବୁଲାଇ ପଳାଇଯାଇଥିଲେ। ଏଭଳି ଅବ୍ୟବସ୍ଥା ନେଇ ଅନେକଥର ଅଭିଯୋଗ ହୋଇଥିଲେ ମଧ୍ୟ ଏଥିରେ ସୁଧାର ଆସିପାରି ନାହିଁ। ସୂଚନାନୁଯାୟୀ, ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏସ୍‌ସିବି ମେଡିକାଲର ଆନାଟୋମି ବିଭାଗକୁ ଆସିଥିଲେ। ହେଲେ ଉକ୍ତ ବିଭାଗ ନିକଟ ମୃତଦେହ ସଂରକ୍ଷଣ ଗୃହ ପାଖରେ କେତେକ ମୃତଦେହ ସକାଳୁ ପଡ଼ି ରହିଥିଲା। ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିବାର କିଛି ସମୟ ପୂର୍ବରୁ ମୃତଦେହଗୁଡିକୁ ଅନ୍ୟ ଜାଗାରେ ରଖାଯାଇଥିଲା। ଫଳରେ ବର୍ଷା ହେବାରୁ ମୃତଦେହ ଓଦା ହେବାର ଦୃଶ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନଜରକୁ ଆସି ନ ଥିଲା। ଏଭଳି ଅବ୍ୟବସ୍ଥାକୁ ନେଇ ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ ଆସିଥିବା ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସ୍‌ସିବିରେ ହୁଏତ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି ଯେଉଁଥିପାଇଁ ଘଣ୍ଟା ଘଣ୍ଟା ଧରି ମୃତଦେହ ପଡି ରହୁଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।ବାଙ୍କୀ ଅଞ୍ଚଳର ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି, ସମ୍ପର୍କୀୟଙ୍କ ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ ଶୁକ୍ରବାର ଏସ୍‌ସିବି ଆସିଥିଲୁ। ଶନିବାର ବ୍ୟବଚ୍ଛେଦ କରାଯିବା ପାଇଁ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ଫଳରେ ସକାଳୁ ଅପେକ୍ଷା କରିଛୁ, ହେଲେ ବର୍ଷାରେ ମୃତଦେହ ରଖି କର୍ମଚାରୀ ପଳାଇଛନ୍ତି। ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଏଭଳି ଅବ୍ୟବସ୍ଥା ଏସ୍‌ସିବିରେ ହେବା ଉଚିତ ନୁହେଁ ବୋଲି ପ୍ରଧାନ କହିଛନ୍ତି। ଏନେଇ ଏଫ୍‌ଏମ୍‌ଟି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଗୀତା ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ବ୍ୟବଚ୍ଛେଦ ପାଇଁ ଡାକ୍ତର ନାହାନ୍ତି, ମେଡିକାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏସ୍‌ସିବିକୁ ପ୍ରତିଦିନ ବିଭିନ୍ନ ଜିଲାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଛି। ଦିନକୁ ପ୍ରାୟ ୧୫ଟି ମୃତଦେହ ବ୍ୟବଚ୍ଛେଦ କରାଯାଉଛି। ଏଥିପାଇଁ ଜଣେ ପ୍ରଫେସର, ୩ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର ନିୟୋଜିତ ଥିବାବେଳେ ଏଫ୍‌ଏମ୍‌ଟି ବିଭାଗରେ ଆସୋସିଏଟ ପ୍ରଫେସର ପଦବୀ ଦୀର୍ଘଦିନ ହେବ ଖାଲି ରହିଛି। ବିଶେଷକରି ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ଡାକ୍ତର ନ ଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ସମସ୍ୟା ହେଉଛି। ଗୋଟିଏ ମୃତଦେହ ବ୍ୟବଚ୍ଛେଦ ଓ ରିପୋର୍ଟ ତିଆରି କରିବା ପାଇଁ ପ୍ରାୟ ଅଢେଇ ଘଣ୍ଟା ସମୟ ଲାଗିଯାଉଛି। ଏଥିପାଇଁ ଯେତିକି ଡାକ୍ତର ଅଛନ୍ତି ତାହା ଯଥେଷ୍ଟ ନୁହେଁ।

Leave a Reply

Your email address will not be published. Required fields are marked *