ଓଡିଶା ପାଳୁଛି ସାମ୍ବାଦିକତା ଦିବସ

ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ । ଆଜି ଓଡ଼ିଶାର ସାମ୍ବାଦିକ ମାନଙ୍କ ପାଇଁ ଏକ ବଡ଼ ଦିନଟିଏ । ପ୍ରତିଦିନ ଅଗଷ୍ଟ ୪ ତାରିଖ ଅର୍ଥାତ ଆଜିର ଦିନକୁ ଓଡ଼ିଶାରେ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’। ଆଉ ସେହିଦିନଠାରୁ ହିଁ ଓଡ଼ିଶାରେ ପଡ଼ିଥିଲା ଓଡ଼ିଆ ସମ୍ବାଦ ପତ୍ରର ମୂଳଦୁଆ। ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଏବଂ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ‘ଉତ୍କଳ ଦୀପିକା’ ଓଡ଼ିଶାରେ ପ୍ରକାଶିତ ହୋଇଥିଲା। ଉତ୍କଳ ଦୀପିକା ସମ୍ବାଦପତ୍ର ର ମୁଖ୍ୟ ଲକ୍ଷ୍ୟ ଥିଲା ଓଡ଼ିଶାର ପ୍ରତିଟି ସୁଖ ଦୁଃଖକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଓଡ଼ିଆ ଭାଷାକୁ ସର୍ବ ସମ୍ମୁଖରେ ଉପସ୍ଥାପନ କରିବା । ସେତବେଳ ର ନ’ଅଙ୍କ ଦୁର୍ଭିକ୍ଷ ହେଉ କିମ୍ବା ଓଡ଼ିଆ ଭାଷା ପାଇଁ ହେଉଥିବା ଆନ୍ଦୋଳନ, ପ୍ରତିଟି ଖବରକୁ ନିରପେକ୍ଷ ଭାବେ ପ୍ରଚାର ପ୍ରସାର କରିବା ଥିଲା ଉତ୍କଳ ଦୀପିକାର ଆଉ ଏକ ମୁଖ୍ୟ ଲକ୍ଷ୍ୟ। ଏହି ସବୁ କଠିନ କାମ ସମ୍ବାଦପତ୍ର ଜଗତରେ ଏକ ନୂଆ ଆହ୍ଵାନ ଆଣିଥିଲା ଉତ୍କଳ ଦୀପିକା ପାଇଁ । ପ୍ରକାଶିତ ଦିନ ଠାରୁ ଆରମ୍ଭ କରି ୧୯୧୭ ମସିହା ଯାଏଁ ଏହାର ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ କର୍ମବୀର ଗୌରୀଶଙ୍କର ରାୟ। ତାଙ୍କ ପରେ ନୀଳମଣି ବିଦ୍ୟାରତ୍ନ ଏହି ଦାୟିତ୍ୱକୁ ଅତି ନିଷ୍ଠାର ସହ ତୁଲାଇଥିଲେ। ଉତ୍କଳ ଦୀପିକା ହିଁ ଆମକୁ ଶିଖେଇଛି ଗଣମାଧ୍ୟମ କିଭଳି ଭାବରେ ସମାଜକୁ ସୁଧାରିପାରେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅନେକ ସମସ୍ୟା ଯୋଗୁଁ ୧୯୩୬ ମସିହାରେ ଏହାର ପ୍ରକାଶନ ସମ୍ପୂର୍ଣ ରୂପରେ ବନ୍ଦ ହୋଇଗଲା । ଆଉ ଏହାସହ ନିରବି ଯାଇଥିଲା ଓଡ଼ିଶାରେ ପ୍ରଥମ ଓଡ଼ିଆ ସମ୍ବାଦପତ୍ରର ସ୍ୱର।

Leave a Reply

Your email address will not be published. Required fields are marked *