ବହୁଦିନ ପରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର | ଭିତର ରତ୍ନଭଣ୍ଡାର ଖୋଲାଯିବା ପରେ ବହୁ ମୂଲ୍ୟଵନ ମିଳିବା ନେଇ ଅନୁମାନ କରାଯାଉଥିଲା | ରତ୍ନଭଣ୍ଡାରରୁ ମିଳିଛି ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ । ଯୁଦ୍ଧ ସାମଗ୍ରୀ ମିଳିବା ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।
ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା କଳା ପଡ଼ିଯାଇଥିବା ସେ କହିଛନ୍ତି । ଗତକାଲି ରତ୍ନଭଣ୍ଡାର ଭିତରେ ଗଠିତ ହୋଇଥିବା ୧୧ ଜଣିଆ ଟିମ ଭଣ୍ଡାର ଘର ଭିତରକୁ ଯାଇ ଦ୍ବିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ସହିତ ୩ଟି ସିନ୍ଦୁକ ଥିବା ସେମାନେ ଦେଖିଥିଲେ । ଏହାଛଡ଼ା ଭିତର ରତ୍ନଭଣ୍ଡାରରେ ଠାକୁର ରଖିବା ଖଟୁଲି ମଧ୍ୟ ଥିଲା । ତେବେ ଏହି ସବୁ ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।
ରାଜା କପିଳେନ୍ଦ୍ର ଦେବଙ୍କ ଶାସନ କାଳରେ ଦାକ୍ଷିଣାତ୍ୟ ବିଜୟ ବେଳେ ୧୬ଟି ହାତୀରେ ରତ୍ନ ଅଳଙ୍କାର ବୋହି ଆଣିଥିଲେ ରାଜା । ସେ ବିଜୟ କରି ଆଣିଥିବା ସମସ୍ତ ସଂପତ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟି ଦେଇଥିବା କିମ୍ବଦନ୍ତୀରେ ଉଲ୍ଲେଖ ରହିଛି । ଏହାଛଡା ଉତ୍କଳ ପ୍ରଦେଶର ବିଭିନ୍ନ ଗଜପତି ମାନେ ସେତେବେଳେ ଅନେକ ରାଜ୍ୟ ଜୟ କରି ସେହି ରାଜ୍ୟର ରାଜାଙ୍କ ମୁକୁଟ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଥିଲେ| ଏବଂସେ ସବୁକୁ ସେ ମହାପ୍ରଭୁଙ୍କ ଉଦେଶ୍ୟରେ ଦାନ କରି ଶ୍ରୀମନ୍ଦିରକୁ ଦେଇ ଦଉଥିଲେ । ସେ ସବୁ ମଧ୍ୟ ରତ୍ନଭଣ୍ଡାରରରେ ଥିବାନେଇ ବିଶ୍ବାସ ରହିଛି ।