ରେଳମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ

ଦେଶରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।। ବାହାନଗାରୁ ରାଜଖରସୁଆଁ ସବୁଠାରେ ସରକାର ଟ୍ରେନ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଁଛନ୍ତି ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ରେଳମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି। ଅଖିଳେଶ ଯାଦବ କହିଛନ୍ତି ଯେ, ସରକାର କେବଳ ବଡ଼ ବଡ଼ କଥା କହୁଛନ୍ତି। ବିଜେପି ସରକାର ପ୍ରଶ୍ନପତ୍ର ଲିକରେ ରେକର୍ଡ କରିଥିଲେ, ବର୍ତ୍ତମାନ ରେଳ ଦୁର୍ଘଟଣାରେ ମଧ୍ୟ ରେକର୍ଡ କରୁଛନ୍ତି। ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି, ଭବିଷ୍ୟତରେ ଯେପରି ଏହାର ଆଉ ପୁନରାବୃତ୍ତି ନ ହେବ, ସେଥିପାଇଁ ସରକାର ଏବେ ଠାରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦେଶରେ ଏହିପରି ଆଉ କେତେ ଦିନ ଚାଲିବ ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ? ଦେଶରେ ଏବେ ରେଳ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି, ଆମେ ଆଉ ଏପରି କେତେ ଦିନ ଦେଖିବୁ? ଦୁର୍ଘଟଣାକୁ ରୋକିବା ପାଇଁ ସରକାର କେଉଁସବୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମମତା ବାନାର୍ଜୀ ପଚାରିଛନ୍ତି ? ଏହାଛଡା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷବ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଯେ “ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଦୁର୍ଘଟଣାରେ ଏତେ ଲୋକଙ୍କ ଜୀବନ ଯିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଏହାର ଉତ୍ତରଦାୟୀ ନ ଥିବାରୁ ମୋତେ ଲାଗୁଛି ଝାଡ଼ଖଣ୍ଡରେ ଆଜି ଘଟିଥିବା ରେଳ ଦୁର୍ଘଟଣାର ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ। ଦୁର୍ଘଟଣା ପରେ ସରକାର କେବଳ କ୍ଷତିପୂରଣ ଘୋଷଣା କରିଦେବେ, ଆଉ ତଦନ୍ତର ପ୍ରତିଶୃତି ଦେବେ ମାତ୍ର ବାସ୍ତବରେ ଏହାର କିଛି ବି ପ୍ରଭାବ ପଡ଼ିବନି । ରେଳ ମନ୍ତ୍ରୀଙ୍କୁ କଟାକ୍ଷ କରି ‘ରିଲ୍ ମିନିଷ୍ଟର’ କହିବା ସହ ଲୋକମାନେ ଟ୍ରେନର ଶୌଚାଳୟରେ ଯାତ୍ରା କରୁଥିଲେ ବି ସରକାର ଏଥିପ୍ରତି ଲଜ୍ଜିତ ନୁହଁନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏପରି କଟାକ୍ଷ କରି କହିଛନ୍ତି ପ୍ରିୟଙ୍କା ଚତୁର୍ବେଦୀ।

Leave a Reply

Your email address will not be published. Required fields are marked *