କିଛି ଦିନର ବ୍ୟବଧାନ ପରେ ଏବେ ବଜାରରେ ପୁଣି ଆଳୁର ଅଭାବ। ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ। କିଛିଦିନ ପୂର୍ବରୁ ୪୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଆଜି ଏହା ୫୦ ଟଙ୍କାରେ ପହଞ୍ଚିଛି। ଆଜି କଟକ ଛତ୍ରବଜାରକୁ ଆସି ପାରିନି ଆଳୁ ଗାଡ଼ି। ଫଳରେ ଏବେ ରାଜ୍ୟରେ ପୁଣି ଆଳୁ ଦର ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି।କଟକରେ ବର୍ତ୍ତମାନ ଆଳୁ ଦାମ କିଲୋ ପିଛା ୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ସେପଟେ ଭୁବନେଶ୍ବର ଆଇଗିଣିଆ ସ୍ଥିତ ଆଳୁ ଗୋଦାମ ବି ଖାଲି। ଆଜି ସକାଳୁ ଆଇଗିଣିଆ ଗୋଦାମରେ ଆଳୁ ନଥିବା ସୂଚନା ମିଳିଛି। ତେଣୁ ପୁଣି ଆଳୁର ଦର ଉପର ମୁହାଁ ହେବା ନେଇ ଏବେ ଅନୁମାନ କରାଯାଉଛି। ତେବେ ଆଳୁ ଗାଡ଼ି ପହଞ୍ଚିନଥିବା ଖବର ଜଣାପଡ଼ିବା ପରେ ବ୍ୟବସାୟୀମାନେ ଯେଉଁସବୁ ଆଳୁ ମହଜୁଦ ରଖିଛନ୍ତି ତାକୁ ଚଢ଼ା ଦରରେ ବିକିବା ଆରମ୍ଭ କଲେଣି। ବିଗତ ୨ ଦିନ ହେବ ଆଳୁ ଗାଡ଼ି ନଆସିବାରୁ ରାଜ୍ୟରେ ବର୍ତ୍ତମାନ ଆଳୁର ଅଭାବ ଦେଖିବାକୁ ମିଳିଛି । ସେପଟେ ରାଜ୍ୟରେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁର ବିଶେଷ ଗ୍ରହଣୀୟତା ନଥିବାରୁ ବ୍ୟବସାୟୀ ମାନେ ବହୁତ କ୍ଷତି ସହୁଛନ୍ତି । ଗତକାଲି ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ। ସେପଟେ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଆଉ ୧୭ ଟନ ଆଳୁ ବିଭିନ୍ନ ଶୀତଳ ଭଣ୍ଡାରରେ ମହଜୁଦ ରହିଛି ଯାହା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଳୁର ଆବଶ୍ୟକତା ପୂରଣ କରିପାରିବ। ସରକାର ତୁରନ୍ତ ଏ ଦିଗରେ ବିକଳ୍ପ ବ୍ୟବସ୍ଥା ନକଲେ ରାଜ୍ୟବାସୀ ଆଉ ଆଳୁ ଦେଖିବାକୁ ପାଇବେ ନାହିଁ ବୋଲି ସେ କହିଛନ୍ତି ।