ଓଡିଶା ଆସିବେ ମୋଦି : ଏହି ୪ ପ୍ରସଙ୍ଗକୁ ଭାଜପାର ଗୁରୁତ୍ୱ

ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ରାଜ୍ୟବାସୀଙ୍କ ପ୍ରିୟଭାଜନ ହୋଇପାରିଛି। ଶ୍ରୀମନ୍ଦିରର ୪ ଦୁଆର ଖୋଲିବାଠାରୁ ଆରମ୍ଭକରି ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରାଯାଇ ୪୬ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ ଦିଆଯାଇଛି। ୫୮ ସବ୍‌ଡିଭିଜନରେ ଶୀତଳଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ମହିଳଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନାର ଆରମ୍ଭ କରାଯାଇଛି। ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଏବଂ ଓଡ଼ିଆ ଅସ୍ମିତାର ପ୍ରଚାରପ୍ରସାର ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାରର ମାତ୍ର ୧୦୦ ଦିନର ଏହି ଉପଲବ୍ଧିକୁ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦାୟିତ୍ୱ ନେବା ଲାଗି ଗୁରୁବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ଆଲୋଚନା କରାଯାଇଛି। ଏହା ବ୍ୟତୀତ ସଙ୍ଗଠନ ପର୍ବ ‘ସଦସ୍ୟତା ଅଭିଯାନ-୨୦୨୪’ ଏବଂ ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ଆଲୋଚନା କରାଯାଇଛି।

ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ମାନସ ମହାନ୍ତି, ମନ୍ତ୍ରୀ ଓ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକ ପ୍ରସଙ୍ଗରେ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଏଥିରେ ମୁଖ୍ୟତଃ ସଦସ୍ୟତା ଅଭିଯାନ, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଏବଂ ୧୦୦ ଦିନ ଭାଜପା ସରକାରର ଉପଲବ୍ଧି ଭଳି ପ୍ରମୁଖ ୪ଟି ପ୍ରସଙ୍ଗରେ ଆଲୋଚନା କରାଯାଇ ଆଗାମୀ ଦିନ ପାଇଁ ରୋଡ୍‌ମ୍ୟାପ୍‌ ପସ୍ତୁତ କରାଯାଇଛି। ସଦସ୍ୟତା ଅଭିଯାନକୁ କିପରି ବ୍ୟାପକ କରିହେବ ସେ ପ୍ରସଙ୍ଗରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତି ବିଧାନସଭା କ୍ଷେତ୍ରରେ ଲକ୍ଷେରୁ ଊର୍ଦ୍ଧ୍ୱ ସଦସ୍ୟ ସଂଗ୍ରହ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସହରଠାରୁ ଆରମ୍ଭ କରି ବ୍ଲକ୍‌, ପଞ୍ଚାୟତ, ଗ୍ରାମସ୍ତରରେ କିପରି ଅଧିକ ସଦସ୍ୟ ଭାଜପାରେ ସାମିଲ ହେବେ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *