କ୍ୟାନସର ପାଇଁ ଦାୟୀ କେକ୍ !

ସାଧାରଣତଃ ଏବେ ଜନ୍ମଦିନ, ବିବାହ ବାର୍ଷିକୀ ଏବଂ ଅନ୍ୟ ଉତ୍ସବ ହେଉ ଲୋକମାନେ କେକ୍ କାଟି ସେଲିବ୍ରେସନ୍ କରୁଛନ୍ତି। ପ୍ରାୟ ଛୋଟ ପିଲାମାନେ କେକ୍ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି କେକ୍ ଆପଣଙ୍କ ଶରୀରର ଅନେକ କ୍ଷତି ଘଟାଇ ପାରେ। ଏହାକୁ ଖାଇବା ଦ୍ୱାରା ଆପଣ କର୍କଟ ରୋଗ ବା କ୍ୟାନସରର ଶିକାର ହୋଇପାରନ୍ତି। ନିକଟରେ ବେକେରୀ କେକ୍‌ ଉପରେ ହୋଇଥିବା ଏକ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି। କେକ୍‌ରେ କ୍ୟାନସର ସୃଷ୍ଟିକାରୀ ପାର୍ଟିକିଲ ବା କଣିକା ଥିବା ଉପାଦାନ ମିଳିଛି। ଏହା ଆସିବା ପରେ ଲୋକଙ୍କୁ ସଚେତନ କରିଛି କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ବିଭାଗ। ବିଶେଷ କରି ରେଡ୍ ଭେଲଭେଟ ଏବଂ ବ୍ଲାକ୍ ଫରେଷ୍ଟ ଭଳି କେକ୍‌କୁ ଆହୁରି ସୁନ୍ଦର କରିବା ପାଇଁ କୃତ୍ରିମ ରଙ୍ଗ ଦିଆଯାଇ ତିଆରି ହୋଇଥାଏ। ଏହି କେକ୍‌କୁ ପରୀକ୍ଷା କାରାଯିବା ପରେ ଏଥିରୁ ୧୨ଟି ଅଲଗା ଅଲଗା କର୍କଟ ସୃଷ୍ଟି କରୁଥିବା ପଦାର୍ଥ ମିଳିଛି। ଯେଉଁଥିରେ ଆଲୁରା ରେଡ୍, ସନ୍‌ସେଟ୍‌ ୟେଲୋ ଏଫସିଏଫ୍, ପୋନ୍ସୋ ୪ ଆର, ଟାର୍ଟ୍ରାଜାଇନ୍ ଏବଂ କାର୍ମୋଇସିନ୍ ପରି କୃତ୍ରିମ ରଙ୍ଗର ଥିବା ଜଣାପଡିଛି।

କେକ୍‌ରେ ବ୍ୟବହାର କରାଯାଉଥିବା ରୋଡାମାଇନ୍-ବି ପୋଷାକ ରଙ୍ଗ କରିବା ପାଇଁ ବ୍ୟବହୃତ ହୁଏ। ଏହାକୁ ଏବେ ଖାଦ୍ୟ ରଙ୍ଗ ଭାବରେ ବ୍ୟବହାର କରାଯାଉଛି। ଏହି ରଙ୍ଗ ମିଶା ଖାଦ୍ୟ ଖାଇବା ଦ୍ୱାରା ଅନେକ ଗୁରୁତର ରୋଗ ହୋଇପାରେ। ସେହିଭଳି, କେକ୍‌ରେ ମିଶାଯାଉଥିବା ପୋନ୍ସୋ ୪ ଆର ପିଲାମାନଙ୍କ ହାଇପରାକ୍ଟିଭିଟି ବଢାଇବା ଏବଂ ଶରୀରରେ ଅକ୍ସିଡେଟିଭ୍ ଚାପ ସୃଷ୍ଟି କରିଥାଏ। ଏନେଇ ବ୍ରିଟେନର ଫୁଡ୍ ଷ୍ଟାଣ୍ଡାର୍ଡ ଏଜେନ୍ସି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ସ୍ପଷ୍ଟ କରାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହା କେବଳ କର୍କଟ ରୋଗର ଆଶଙ୍କା ବଢାଇବ ତାହା ନୁହେଁ ବରଂ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *