ହିନ୍ଦୁ ମନ୍ଦିରକୁ ଟାର୍ଗେଟ କଲେ ବିକ୍ଷୋଭକାରୀ

ବାଂଲାଦେଶ, ୦୬/୦୮: ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେବା ପରେ ସେଠାରେ ଥିବା ଧାର୍ମିକ ସଂଖ୍ୟାଲଘୁଙ୍କ ଅବସ୍ଥା ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଶେଷରେ ଉତ୍ୟକ୍ତ ଆକ୍ରମଣକାରୀମାନେ ହିନ୍ଦୁ ମନ୍ଦିରକୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଗତକାଲି ଅତି କମରେ ଚାରିଟି ମନ୍ଦିରରେ ପଶି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ସୂଚନା ଅନୁସାରେ, ବାଂଲାଦେଶର ଖୁଲନା ଡିଭିଜନ ମେହେରପୁରର ଥିବା ଏକ ଇସ୍କନ ମନ୍ଦିରରେ ପଶି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ଭଙ୍ଗାରୁଜା କରିବା ସହ ମୂର୍ତ୍ତିରେ ମଧ୍ୟ ନିଆଁ ଲାଗାଇବାକୁ ଉଦ୍ୟମ କରିଛନ୍ତି ବିକ୍ଷୋଭକାରୀ । ମନ୍ଦିର ଆକ୍ରମଣ ବ୍ୟତୀତ ବାଂଲାଦେଶର ଢାକାରେ ଥିବା ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଏଥିରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହିତ କରୁଥିବା ଇନ୍ଦିରା ଗାନ୍ଧୀ ସାଂସ୍କୃତିକ କେନ୍ଦ୍ର ସମ୍ପୂର୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଇସ୍କନ ମନ୍ଦିର ଉପରେ ଆକ୍ରମଣ ହେବାପରେ ଇସ୍କନ ର ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ କହିଛନ୍ତି ଯେ ମେହେରପୁରରେ ଥିବା ଆମର ଏକ ଇସ୍କନ ମନ୍ଦିରକୁ ଆନ୍ଦୋଳନକାରୀ ମାନେ ଭଙ୍ଗାରୁଜା କରିବା ସହ ସେଠାରେ ନିଆଁ ଲଗାଇ ଦେଇଥିବା ମୁଁ ଖବର ପାଇଥିଲି । ମନ୍ଦିରରେ ପୂଜା ପାଉଥିବା ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ଶୁଭଦ୍ରାଙ୍କ ମୂର୍ତ୍ତି ସମେତ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ସୌଭାଗ୍ୟବଶତଃ ସମସ୍ତ ମୂର୍ତ୍ତିଗୁଡ଼ିକୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *