ଆଜି ସାରାରାଜ୍ୟ ପାଳୁଛି ରସଗୋଲା ଦିବସ।

ଆଜି ସାରାରାଜ୍ୟ ପାଳୁଛି ୧୦ମ ରସଗୋଲା ଦିବସ। ପ୍ରତିବର୍ଷ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅବସରରେ ଓଡ଼ିଶାରେ ପାଳନ ହୋଇଥାଏ ରସଗୋଲା ଦିବସ | ଠିକ ଆଜି ମଧ୍ୟ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅବସରରେ ରାଜ୍ୟରେ ପାଳିତ ହେଉଛି ରସଗୋଲା ଦିବସ | ମିଠାମାନଙ୍କ ମଧ୍ୟରେ ରାଜା ହେଉଛି ରସଗୋଲା । ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ହେଉଛି ଅନ୍ୟତମ।

କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି। ବିଶ୍ୱାସ ରହିଛିଯେ ନୀଳାଦ୍ରି ବିଜେରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେଇଥାନ୍ତି । ଏହାପରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହାସହ ସାରା ବିଶ୍ୱରେ ଓଡ଼ିଶାର ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ।

ଏହି ଦିନକୁ ପାଳନ କରିବା ପାଇଁ ୨୦୧୫ ମସିହା ଜୁଲାଇ ୩୦ ତାରିଖ ନିଳାଦ୍ରୀ ବିଜେ ଦିନ ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା। ଏହାପରେ ୨୦୧୬ ମସିହାରୁ ପାଳିତ ହୋଇ ଆସୁଛି ରସଗୋଲା ଦିବସ। ତେବେ ରସଗୋଲା କାହାରତାହାକୁ ନେଇ ୨ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆରମ୍ଭ ହୋଇଥିଲା ମିଠା ଯୁଦ୍ଧ। ଓଡ଼ିଶା ପକ୍ଷରୁ ସମସ୍ତ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ହୋଇଥିଲା ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟି।୨୦୧୯ ମସିହା ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା।

Leave a Reply

Your email address will not be published. Required fields are marked *