shreemandiara : ଶ୍ରୀମନ୍ଦିର ଲୁହାକଡେଇ ପ୍ରସଙ୍ଗରେ ଆକ୍ସନ ମୋଡରେ ପ୍ରଶାସନ

shreemandira : ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗରେ ଆକ୍ସନ ମୋଡ଼ରେ ଶ୍ରୀମନ୍ଦିର ପ୍ରଶାସନ।ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ତିନି ଜଣ ସୁପକାରଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଛି । ତିନି ସୁପକାରଙ୍କ ମଧ୍ୟରୁ ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ମଧ୍ୟ ନିଲମ୍ବିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ୨୧- ଖ (କ) ଧାରା ଅନୁସାରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି l ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ଗତ ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିଥିଲା । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଦନ୍ତ ସହ କଡ଼େଇ ଜବତ ନିର୍ଦ୍ଦେଶ ଦେଇଥିଲେ । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ

ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳୁଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରିବାକୁ ମଧ୍ୟ ଜଣାଇ ଦିଆଯାଇଥିଲା l ଏହି ସମ୍ପୃକ୍ତ ସେବକଙ୍କ ଦ୍ଵାରା କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ପ୍ରଶାସକ । ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟ ପ୍ରଶାସକ । ପୂର୍ବ ନିର୍ଦ୍ଦେଶ ପରେ ଅନ୍ୟ ସୁପକାର ମାନେ କଡ଼େଇ ବାହାର କରି ନେଇଥିବା ଜଣାପଡ଼ିଛି । ତେବେ ଏହି ତିନି ସୁପକାର କୋଠଭୋଗ ରୋଷରେ ବାରଣ ସତ୍ତ୍ୱେ ଲୁହା କଡ଼େଇ ବ୍ୟବହାର କରି ଅନ୍ନ ଡାଲି ରୋଷେଇ କରିଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟ ପ୍ରଶାସକ । ତିନି ସୁପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ପ୍ରବେଶ ନିଷିଦ୍ଧ କଟକଣା କାର୍ଯ୍ୟକାରି କରିବାକୁ ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳକରଣଙ୍କୁ ଆଦେଶ ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ ।

Leave a Reply

Your email address will not be published. Required fields are marked *