ମାଡି ଆସୁଛି ଭୟଙ୍କର ‘ଆସନା’

ଗୁଜୁରାଟ : ବର୍ତ୍ତମାନ ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆରବ ସାଗର ପଟୁ ଗୁଜରାଟ ଆଡକୁ ମାଡ଼ି ଆସୁଛି ସାମୁଦିକ ଝଡ଼ ‘ଆସନା’। ଏହାର ପ୍ରଭାବରେ ମଧ୍ୟ ସାରା ରାଜ୍ୟରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ଦ୍ୱାରା ପୂର୍ବାନୁମାନ କରାଯାଉଛି ଯେ, ଏହି ସାମୁଦ୍ରିକ ଝଡ଼ ସୌରାଷ୍ଟ୍ର ଏବଂ କଚ୍ଛ ଦେଇ ଅତିକ୍ରମ କରିବ। ସାମୁଦ୍ରିକ ଝଡ଼ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ସ୍ଥଳଭାଗ ମୁହାଁ ଗତି କରିବ। ଏଥିରେ ଅଧିକ ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଗୁଜରାଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଭଡ଼ଦୋରା, ଭରୁଚ, ଆନନ୍ଦ, ନର୍ମଦା, ପଞ୍ଚମହଲ, ଦାହୋଦ, ଛୋଟା ଉଦୟପୁରରେ ଆଗାମୀ କିଛି ଦିନ ଯାଏ ପ୍ରବଳ ବର୍ଷା ଜାରି ରହିବ। ଗତ କିଛି ଦିନ ହେବ ପୂର୍ବରୁ ଗୁଜରାଟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ସେଠାରେ ଭୟଙ୍କର ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଗୁଜରାଟରେ ଏପର୍ଯ୍ୟନ୍ତ ୩୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ଶହରୁ ଅଧିକ ବିପନ୍ନଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସେହିପରି ୧୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *