ଅଲିମ୍ପିକ୍ସ ଉପରେ ଆତଙ୍କବାଦୀଙ୍କ ନଜର

ଆଜିଠାରୁ ବିଧିବଦ୍ଧ ଭାବରେ ବିଶ୍ବର ସବୁଠୁ ବଡ଼ କ୍ରୀଡା ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି | ଫ୍ରାନ୍ସ ର ରାଜଧାନୀ ପ୍ୟାରିସ ଠାରେ ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ ର ଉଦଘାଟନୀ ସମାରୋହ ବେଶ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଦେଶ ବିଦେଶରୁ ମୋଟ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଇଛନ୍ତି | କିନ୍ତୁ ବିଶ୍ବର ସବୁଠୁ ବଡ଼ ଏହି କ୍ରୀଡା ପ୍ରତିଯୋଗୀତାରେ ରହିଛି ଆତଙ୍କବାଦୀ ଆକ୍ରମଣର ଭୟ। ବିଶ୍ୱର ସବୁଠାରୁ ବଡ ଆତଙ୍କବାଦୀ ସଙ୍ଗଠନ ହମାସ ଓ ଆଇଏସ୍ଆଇଏସ୍ ଅଲିମ୍ପିକ୍ସ ଉପରେ ବଡ଼ ଧରଣର ଆକ୍ରମଣ କରିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି। ଆତଙ୍କବାଦୀ ମାନେ ଆତ୍ମଘାତୀ ବିସ୍ଫୋରଣ, ପଣବନ୍ଦୀ, ଏବଂ ବଡ଼ ଧରଣର ବୋମା ବିସ୍ଫୋରଣ କରିବା ନେଇ ସୂଚନା ମିଳିବା ପରେ ଏବେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଦୀର୍ଘ ୪ ସପ୍ତାହ ଧରି ପ୍ୟାରିସ ରେ ହେବାକୁ ଥିବା ଅଲିମ୍ପିକ୍ସରେ ସୁରକ୍ଷା ବ୍ୟବସ୍ଥା ଏବେ ଫ୍ରାନ୍ସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଲିମ୍ପିକ୍ସ-୨୦୨୪ ପାଇଁ ପ୍ୟାରିସରେ ଏଥର ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ଜନତାଙ୍କ ସମାଗମ ହୋଇଛି ।

ଆତଙ୍କୀ ହମଲା ଏବଂ ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଇତିହାସରେ ଏହା ହେଉଛି ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଲମ୍ପିକ୍ସ ବୋଲି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରି ନିଜ ନିଜର ମତାମତ ଦେଇଛନ୍ତି । ଇସ୍ରାଏଲ ହମାସ ଯୁଦ୍ଧ,ଏବଂ ରୁଷିଆ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧର ସ୍ଥିତି ବର୍ତ୍ତମାନ ଏହି ଭୟକୁ ଅଧିକ ମାତ୍ରାରେ ବଢାଇ ଦେଇଛି। ସୁରକ୍ଷା ପାଇଁ ପ୍ୟାରିସକୁ ବର୍ତ୍ତମାନ ହାଇ ଆର୍ଲଟରେ ରଖାଯାଇଛି। ଆତଙ୍କବାଦୀଙ୍କ ଆକ୍ରମଣକୁ ନଜରରେ ରଖି ଅଲିମ୍ପିକ୍ସରେ ସୁରକ୍ଷା ଦାୟିତ୍ବରେ ମୋଟ ୩୦ ହଜାରରୁ ୪୫ ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅଲିମ୍ପିକ୍ସ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଜଣେ ଋଷିଆ ସନ୍ଦୀଗ୍ଧ ଗିରଫ ହେବା ପରେ ଆତଙ୍କବାଦୀ ଆକ୍ରମଣର ଭୟ ବଢିବାରେ ଲାଗିଛି। ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ଯୋଗୁ ପାଶ୍ଚାତ୍ୟ ଦେଶ ଋଷ ଉପରେ କଟକଣା ଲଗାଇଥିବାରୁ ଋଷ କିଛି ବଡ଼ ଷଡଯନ୍ତ୍ର କରୁଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ କ୍ରୀଡା ପ୍ରତିଯୋଗିତାରେ ବାଧା ସୃଷ୍ଟି କରିବାକୁ ଯୋଜନା କରୁଥିବା ଅଭିଯୋଗରେ ଋଷିଆର ଜଣେ ୪୦ ବର୍ଷିୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଫ୍ରାନ୍ସ ପୁଲିସ।

Leave a Reply

Your email address will not be published. Required fields are marked *