ମଣିଷ ଖାଇବେ ପଶୁ ମାଂସ

ନାମ୍ୱିଆ :ବର୍ତ୍ତମାନ ଆଫ୍ରିକୀୟ ଦେଶ ନାମ୍ୱିଆରେ ଉତ୍କଟ ରୂପ ଧାରଣ କରିଛି ମରୁଡ଼ି। ସେଠାକାର ଲକ୍ଷ ଲକ୍ଷ ଲୋକ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ଦେଶରେ ଗଛିତ ଥିବା ଖାଦ୍ୟ ଭଣ୍ଡାରରେ ଖାଦ୍ୟ ସରିଗଲାଣି । ଶତାବ୍ଦୀର ସବୁଠାରୁ ଭୟଙ୍କର ମରୁଡ଼ି ଦେଇ ଗତି କରୁଛି ନାମ୍ୱିଆ। ଦେଶର ପ୍ରାୟ ୨୫ ଲକ୍ଷ ଲୋକ ଭୟଙ୍କର ଖାଦ୍ୟ ସଂକଟର ସାମ୍ନା କରୁଛନ୍ତି। ଏପରି ସ୍ଥିତିରେ ନାମ୍ୱିଆ ସରକାର ଖାଦ୍ୟ ସଂକଟ ଦୂର କରିବା ପାଇଁ ହାତୀ ଏବଂ ଜଳହସ୍ତୀ ସମେତ ୭୦୦ରୁ ଊଦ୍ଧ୍ୱ ବନ୍ୟଜନ୍ତୁଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟଜନ୍ତୁ ମାନଙ୍କୁ ମାରି ସେମାନଙ୍କ ମାଂସ ଲୋକଙ୍କୁ ଖାଇବାକୁ ଦେଲେ ସେମାନଙ୍କର ଖାଦ୍ୟାଭାବ ପୂରଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ନାମ୍ୱିଆ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ପରିଚିତ ଅଟେ । ମାତ୍ର ଏଭଳି ମରୁଡି ପରିସ୍ଥିତିରେ ଦେଶର ପ୍ରାକୃତିକ ଉତ୍ସ ବିଶେଷକରି ବନ୍ୟଜନ୍ତୁଙ୍କୁ ମାରି ଲୋକଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ସେଠାକାର ସରକାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ମୋଟରେ ୮୩ଟି ହାତୀ, ୩୦୦ଟି ଜେବ୍ରା, ୩୦ ଟି ଜଳହସ୍ତୀ, ୫୦ଟି ମୃଗ, ୬୦ଟି ବଳଦ, ୧୦୦ଟି ମଇଁଷି ଏବଂ ୧୦୦ଟି ଏଲାଣ୍ଡଙ୍କୁ ମାରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ଓ ସେଠାରେ ଆବଶ୍ୟକ ପରିମାଣର ବର୍ଷା ନହେବା କାରଣରୁ ଏହା ଭୟଙ୍କର ମରୁଡିର ପ୍ରମୁଖ କାରଣ ବୋଲି କୁହାଯାଉଛି । ୫ ବର୍ଷରୁ କମ୍‌ ବୟସ୍କ ପିଲାମାନେ କ୍ଷୁଧା ଏବଂ କୁପୋଷଣର ଶିକାର ହେବା ସହିତ ଲୋକଙ୍କ ପାଇଁ ଖାଦ୍ୟ ନାହିଁ ଏବଂ ପଶୁମାନେ ମଧ୍ୟ ଖାଇବାକୁ ନ ପାଇ ଜଙ୍ଗଲ ଛାଡି ଜନବସତି ଆଡେ ମୁହାଉଁଛନ୍ତି । ଅନ୍ୟପଟେ ନାମ୍ୱିଆରେ ଦେଖାଦେଇଥିବା ଏହି ଭୟଙ୍କର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି ମିଳିତ ଜାତିସଂଘ । ଜାତିସଂଘର ମହାସହିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ତରଫରୁ ଜଣେ ମୁଖପାତ୍ର ଏ ସମସ୍ୟାକୁ ମାନବ ସଙ୍କଟ ବୋଲି ଦର୍ଶାଇଛନ୍ତି । ବେଞ୍ଜାମିନ୍ ସୁଆରାଟୋଙ୍କ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ମରୁଡ଼ି ଏକ ସାଧାରଣ ଘଟଣା ହୋଇଥାଏ । ବିଶେଷ କରି ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ବାରମ୍ବାର ମରୁଡି ପରିସ୍ଥିତି ଏଠାରେ ଦେଖାଦେଇଛି । କିନ୍ତୁ ବର୍ତ୍ତମାନ ଦେଖାଦେଇଥିବା ଏହି ମରୁଡି ସମଗ୍ର ନାମ୍ୱିଆରେ ଉତ୍କଟ ରୂପ ଧାରଣ କରିଛି।

Leave a Reply

Your email address will not be published. Required fields are marked *