ବିଧାନସଭାରେ ବିଜେଡି ବିଧାୟକଙ୍କ ତୁମୁଳ କାଣ୍ଡ

ଆଜି ମଧ୍ୟ ସ୍ୱାଭାବିକ ଭାବରେ ଚାଲିପାରିଲାନି ଗୃହ | ଶେଷରେ ବାଚସ୍ପତିଙ୍କ ମାଇକ ଭାଙ୍ଗିଦେଲେ ବିଜେଡି ବିଧାୟକ ଧ୍ରୁବ ସାହୁ। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ସେ ମାଇକ ଭାଙ୍ଗି ଦେଇଥିଲେ। ଆଜି ଅପରାହ୍ନରେ ପୁଣି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସର ବିଧାୟକମାନେ ପୁଣି ବିଧାନସଭାରେ ହୋହଲ୍ଲା ଆରମ୍ଭ କରିଥିଲେ। ଗୃହର ମଧ୍ୟଭାଗକୁ ଆସି ଅନେକ ବିଜେଡି ଓ କଂଗ୍ରେସ ବିଧାୟକ ହୋହଲ୍ଲା କରିଥିବା ଦେଖିବାକୁ ମିଳିଥିଲା । ଆଉ ସେହି ସମୟରେ ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଭାଙ୍ଗି ଦେଇଥିଲେ। ଗୃହର ଏଭଳି ଅଚଳାବସ୍ଥାକୁ ଦେଖି ବାଚସ୍ପତି ସୁରମା ପାଢ଼ୀ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଆଜି ସକାଳେ ମଧ୍ୟ ଏହି ସମାନ ପ୍ରସଙ୍ଗକୁ ନେଇ ଗୃହ କୁ ଚଳାଇ ଦେଇ ନଥିଲେ ବିରୋଧୀ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଏଏସଓଙ୍କୁ ରାଜ୍ୟପାଳ ରଘୁବର ଦାସ ଙ୍କ ପୁଅ ମାଡ଼ ମାରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବିବୃତି ଦାବି କରିଛି ବିରୋଧୀ ବିଜେଡି । ଗତ ୭ ତାରିଖରୁ ଏହି ଘଟଣା ଘଟିଥିଲେ ମଧ୍ୟ କାହିଁକି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ହେଇନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିରୋଧୀ ବିଜେଡି ର ଏଭଳି ଆଭିମୁଖ୍ୟ ଦେଖି ବିଜେପି କହିଛି ଯେ ,ବିଜେଡି ଏବେ ଅସହିଷ୍ଣୁ ହୋଇପଡ଼ିଛି । ତତ୍‌କାଳୀନ ବିଜେଡି ସରକାର ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ ବିରୋଧରେ କେଉଁସବୁ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ନେଇଥିଲା ବୋଲି ଓଲଟା ପ୍ରଶ୍ନ କରିଛି ଶାସକ ଦଳ ବିଜେପି। କଂଗ୍ରେସ ଦଳ କହିଛି, ବିଜେଡି-ବିଜେପି ଆଲୋଚନା କରି ଗୃହ ବନ୍ଦ କରୁଛନ୍ତି । ଯେଉଁଥି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇପାରିଲାନି।

Leave a Reply

Your email address will not be published. Required fields are marked *