ଭୁବନେଶ୍ୱର : ଗିରଫ ହେଲେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି।ତାଙ୍କଠାରୁ ବିପୁଳ ସଂପତ୍ତି ଜବତ କରିବା ପରେ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ତାଙ୍କ ବିରୁଦ୍ଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ କରାଯାଇଥିଲା। ସତ୍ୟପ୍ରକାଶ ସ୍ୱାଇଁଙ୍କର କେନ୍ଦୁଝରରେ ଥିବା ଅଫିସ୍, ସରକାରୀ ବାସଭବନରେ ଭିଜିଲାନ୍ସ ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରଖିଥିଲା। ଏହାଛଡା ଭଦ୍ରକରେ ଥିବା ତାଙ୍କର ପୈତୃକ ବାସଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗର ସ୍ଥିତ ନିଜ ଘର ଓ ଜାଗମରା ରେ ଥିବା ଶ୍ୱଶୁର ଘର ସହ ମୋଟ ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ତାଙ୍କର ଦେଢ଼ କୋଟି ଟଙ୍କାର ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ। ସତ୍ୟପ୍ରକାଶ ସ୍ୱାଇଁ ଆଗରୁ ଝରପଡ଼ା କାରାଗାରର ଅଧୀକ୍ଷକ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ।